csstore

ମୋ’ ଜୀବନ ପ୍ରତି ବିପଦ ଅଛି, ମତେ ନ୍ୟାୟ ମିଳୁ : ନବୀନ ମୁଣ୍ଡା

ଲୋଇସିଂହା, (କେପିଏନ୍‌ଏସ୍‌) : ମୋ’ ଜୀବନ ପ୍ରତି ବିପଦ ଅଛି, ମତେ ନ୍ୟାୟ ମିଳୁ । ମିଡ଼ିଆ ସାମ୍ନାରେ ଏଭଳି ଗୁହାରି କରିଛନ୍ତି ଜଣେ ବ୍ୟକ୍ତି । ସଂପୃକ୍ତ ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଥାନାର ସେମେଲମୁଣ୍ଡା ଗାଁର ବାସିନ୍ଦା ନବୀନ ମୁଣ୍ଡା । ସେ କହିଛନ୍ତି ଯେ, ଗତ ଅଗଷ୍ଟ ମାସ ୧୮ ତାରିଖ ଦିନ ରାତି ପ୍ରାୟ ସାଢେ ୭ଟା ସମୟରେ ସେ ତାଙ୍କ ପରିବାର ସହ ଘରେ ଥିବା ବେଳେ ଗାଁର ଶଶିକାନ୍ତ ପଧାନ ନାମକ ଜଣେ ବ୍ୟକ୍ତି ଘର ଭିତରକୁ ପଶି ଆସି ତାଙ୍କୁ ଭୁଜାଲିରେ ଆକ୍ରମଣ କରିବା ସମୟରେ ତାଙ୍କ ପତ୍ନୀ ମହାଦେଇ ମୁଣ୍ଡା ପ୍ରତିବାଦ କରିବାରୁ ତାଙ୍କୁ ଧକ୍କା ଦେଇଥିଲା । ଜୀବନ ଆକୁଳରେ ନୀବନ ମୁଣ୍ଡା ରୋଷେଇ ଘରକୁ ପଶି ଯାଇ ଭିତରୁ କବାଟ ବନ୍ଦ କରି ଦେଇଥିଲେ । ପତ୍ନୀ ମହାଦେଇଙ୍କୁ ଆକ୍ରମଣ କରିବାକୁ ଶଶିକାନ୍ତ ଉଦ୍ୟମ କରିବା ସମୟରେ ସେ ମଧ୍ୟ ଶୋଇବା ଘରକୁ ଯାଇ କବାଟ କିଳି ରହିଯାଇଥିଲେ । ତା’ପର ଦିନ ସକାଳୁ ସାଲେଭଟା ଫାଣ୍ଡିରେ ଏହି ଘଟଣାକୁ ନେଇ ମହାଦେଇ ଲିଖିତ ଭାବେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗର ଦୀର୍ଘ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ନବୀନ ଅଭିଯୋଗ କରିଛନ୍ତି । ସେ ଜଣେ ଆଦିବାସୀ ସଂପ୍ରଦାୟର ବ୍ୟକ୍ତି ହୋଇଥିବା ସତ୍ୱେ ତାଙ୍କୁ ନ୍ୟାୟ ନ ମିଳିବା ଯୋଗୁଁ ସେ ଭାଂଗି ପଡ଼ିଥିବା ପ୍ରକାଶ କରିଛନ୍ତି । ଥାନାରେ ଅଭିଯୋଗ କରିବା ପରେ ସେ ଏସ୍‌ପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିବା ବେଳେ ଆଗଲପୁର ବ୍ଲକରେ ଜନ ଶୁଣାଣି ସମୟରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦେଖାକରି ଗୁହାରି କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ପୁଣି ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ମଧ୍ୟ ସେ କହିଛନ୍ତି ।

jayashree
Leave A Reply

Your email address will not be published.