pakka

ମରଣଯନ୍ତା ପାଲଟିଛି ଘେଁସ ବଡଯୋର ଭି-ଟର୍ଣ୍ଣିଂ : ବାଇକ ଦୁର୍ଘଟଣାରେ ଦୁଇ ଆହତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ସୋହେଲା-ପଦ୍ମପୁର ବିଜୁ ଏକ୍ସପ୍ରେସ ୱେର ଘେଁସ ନିକଟବର୍ତି ବଡଯୋର ଅଂଚଳ ପାଳଟିଛି ମରଣଯନ୍ତା । ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ମଙ୍ଗଳବାର ସଂଧ୍ୟାରେ ପୁଣି ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଜୁ ଏକ୍ସପ୍ରେସ ୱେର ସୋହେଲା ପଟରୁ ଏକ ମୋଟରସାକେଲରେ ଦୁଇଜଣ ଆସୁଥିବା ବେଳେ ଉକ୍ତ ମରଣଯନ୍ତା ବୁଲାଣି ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ । ଚାଳକଙ୍କ ହ୍ୟାଲମେଟ ଭାଙ୍ଗି ଯାଇଥିବା ବେଳେ ଉଭୟେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲେନ୍ସରେ ଡାକ୍ତରଖାନା ପଠାଇଥିଲେ । ପ୍ରକାଶ ଯୋଗ୍ୟ ଯେ, ପୂର୍ତ ବିଭାଗର ଗୁରୁତର ତ୍ରୁଟି ପାଇଁ ଉକ୍ତ ସ୍ଥାନରେ ଛୋଟବଡ ଦୁର୍ଘଟଣା ନିୟମିତ ହେଉଥିବାର ସୂଚନା ମିଳୁଛି । ଫଳରେ ଏ ନେଇ ସ୍ଥାନୀୟ ଅଂଚଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି । ବିଜୁ ଏକ୍ସପ୍ରେସ ୱେର ଉଭୟପଟର ବସଷ୍ଟପ ଗୋଟିଏ ସ୍ଥାନରେ ରଖି ଉକ୍ତ ବଡଯୋର ନିକଟରେ ଟ୍ରାଫିକ ପୋଷ୍ଟ ନିର୍ମାଣ ପାଇଁ କାମ ଆରମ୍ଭ ହେବା ଦିନଠାରୁ ସ୍ଥାନୀୟ ଲୋକେ ଦାବୀ କରିଆସୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀ ଏବଂ ଠିକାଦାରମାନେ ତାକୁ ଖାତିର କରୁ ନ ଥିବାର ଅଭିଯୋଗ ହେଉଛି । ଗୋଟିଏ ପଟର ବସଷ୍ଟପ ଭି-ଟର୍ଣ୍ଣିଂ ନିକଟରେ ରହିଥିବା ବେଳେ ଅପରପଟର ବସଷ୍ଟପ ପେଟୁପାଲି ପଟକୁ ଅଧକିଲୋମିଟର ଆଗକୁ ଯାଉଛି । ତେଣୁ ପୂର୍ତବିଭାଗର ଏହି ବଳପୂର୍ବକ କାମ ପାଇଁ ଅଂଚଳରେ ପୁଂଜିଭୂତ ଅସନ୍ତୋସ ସୃଷ୍ଟି ହେଉଛି । ଘଟଣାକୁ ନେଇ ବାରମ୍ବାର ଖବରକାଗଜରେ ପ୍ରକାଶିତ ହେବା ସତ୍ୱେ ବିଭାଗ ଏହାକୁ ଗମ୍ଭୀରତାର ସହିତ ନେଉ ନ ଥିବାର ଅଭିଯୋଗ ହେଉଛି । ଏନେଇ କିଛି ସାମାଜିକ କର୍ମି ଟ୍ୱିଟ ମାଧ୍ୟମରେ ବିଭାଗକୁ ପ୍ରଶ୍ନ କରିଥିବା ବେଳେ ଘଟଣାକୁ ଫାଙ୍କିବା ଭଳି ବିଭାଗର ଉତର ଦେଇଥିବାରୁ ଲୋକଙ୍କ ମଧ୍ୟରେ ଅଧିକ ଅସନ୍ତୋସ ଦେଖାଦେଇଛି । ତେଣୁ ଯେଣତେଣ ପ୍ରକାରେ କାମ ସମାପ୍ତ କରିବାକୁ ଉଦ୍ୟମ ଚାଲିଥିବା ବେଳେ ଏହାକୁ ବିଭାଗ ଓ ପ୍ରଶାସନ ଗୁରୁତ୍ୱର ସହିତ ନେଇ ଉକ୍ତ ସ୍ଥାନର ସଂପ୍ରସାରଣ ସହିତ ଟ୍ରାଫିକ ଛକ ନିର୍ମାଣ ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.

four × 4 =