ସମ୍ବଲପୁର ସହର ଓ କଳାହାଣ୍ଡି ଲାଞ୍ଜିଗଡ଼ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ରାଜ୍ୟର ବିଭିନ୍ନ ଆଦିବାସୀ ବହୁଳ ଜିଲ୍ଲାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଜାରି ରହିଛି । ଗତକାଲି ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋପାଳପଲ୍ଲୀଠାରେ ବିକଶିତ ଭାରତର ସଂକଳ୍ପ ଯାତ୍ରା ରଥ ଅଟକିଥିଲା । ସଚେତନତା ବାହନରେ ଲାଗିଥିବା ଏଲ୍ଇଡି ସ୍କ୍ରିନରେ ମୋଦୀ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ପ୍ରସାରଣ କରାଯାଇଥିଲା । ଯାତ୍ରା ରହଣୀସ୍ଥଳରେ ହିତାଧିକାରୀମାନେ ସେମାନଙ୍କର ପଞ୍ଜୀକରଣ କରିବା ସହିତ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିଲେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଗୁଣ୍ଡରି ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଯୋଜନାର ହିତାଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଯାତ୍ରାରେ ସ୍ଥାନୀୟ ଜନସମୁଦାୟ ବେଶ୍ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂକଳ୍ପ ଯାତ୍ରାର ସଚେତନତା ରଥ ପହଞ୍ଚିବା ପରେ ସ୍ଥାନୀୟ ମହିଳାମାନେ ପୂଜାର୍ଚ୍ଚନା କରି ଏହାକୁ ପାରମ୍ପରିକ ଢଙ୍ଗରେ ସ୍ୱାଗତ କରିଥିଲେ । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ପ୍ରଚାରପ୍ରସାର କରାଯାଇଥିଲା । ଏଥିରେ ବିଭିନ୍ନ ଯୋଜନାର ଯୋଗ୍ୟ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଇଥିବା ବେଳେ ପୁରୁଣା ହିତାଧିକାରୀମାନେ କେନ୍ଦ୍ରୀୟ ଯୋଜନାର ସୁଫଳକୁ ନେଇ ନିଜର ଅନୁଭୂତି ବଖାଣିଥିଲେ । ବିଶେଷ କରି ମାଗଣା ଗ୍ୟାସ ସଂଯୋଗ ପାଇଥିବା ଉଜ୍ଜ୍ୱଳା ଯୋଜନାର ମହିଳା ହିତାଧିକାରୀମାନେ ସେମାନଙ୍କ ଅନୁଭୂତି ପ୍ରକାଶ କରିବା ସହିତ ଏଥିପାଇଁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ । କାର୍ଯ୍ୟାକ୍ରମରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଯାତ୍ରା ରହଣୀ ସ୍ଥଳରେ ସ୍ୱାସ୍ଥ୍ୟ ଶିବିର ଏବଂ କେନ୍ଦ୍ରୀୟ ଯୋଜନାର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

two × five =

error: Content is protected !!