ଦିନବେଳା ସହରକୁ ଭାରିଯାନ ପ୍ରବେଶ ନିଷେଧ କରିବା ପାଇଁ ଟିଟିଲାଗଡ ବିକାଶ ସେନାର ଦାବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବଲାଙ୍ଗିର ଜିଲ୍ଲାର ଏକ ମୁଖ୍ୟ ସହର । ଏହି ସହର ମଧ୍ୟ ଦେଇ ଯାଇଛି ଜାତୀୟ ରାଜପଥ ୫୯ । ଏହି ଜାତୀୟ ରାଜପଥ ଦେଇ ପ୍ରତିଦିନ ଶହ ଶହ ବଡ଼ ବଡ଼ ଟ୍ରକ୍ ଓ ଭାରିଯାନ ଯିବା ଆସିବା କରୁଛି । କିନ୍ତୁ ସହର ମଧ୍ୟରେ ଏହି ରାସ୍ତା ପୂର୍ବରୁ ହିଁ ସଂକୀର୍ଣ୍ଣ ଥିଲା । କିନ୍ତୁ ବର୍ତ୍ତମାନ ରେଳବାଇ ଫାଟକର ସମସ୍ୟାକୁ ଦୂର କରିବା ପାଇଁ ଓଭର ବ୍ରିଜ ତିଆରି ଚାଲିଛି । ଯେଉଁଥିପାଇଁ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇଯାଇଛି । ଯାହା ଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି । ଏହି ରାସ୍ତା ଟିଟିଲାଗଡର ମୁଖ୍ୟ ବ୍ୟବସାୟ କ୍ଷେତ୍ର ହାଟପଦା ଦେଇ ଯାଇଥିବାରୁ ପ୍ରତିଦିନ ଏଠାରେ ପାହାନ୍ତିଆ ୪ ଟା ରୁ ରାତି ୯ ଟା ପର୍ୟ୍ୟନ୍ତ ବହୁତ୍ ଭିଡ଼ ଜମି ରହିଥାଏ । ତେଣୁ ଭାରିଯାନ ଯିବା ଆସିବା ବିପଦ ଶଙ୍କୁଳ ରହୁଛି । ଗତ ୧୪ ଅକ୍ଟୋବର ରାତି ପ୍ରାୟ ୯ ଟା ସମୟରେ ଗୋଟିଏ ଟ୍ରକ୍ ଟିଟିଲାଗଡ ସହରରେ ରାତି ରାୟ ୯ଟା ସମୟରେ ଭୟଙ୍କର ଦୁର୍ଘଟଣା ଘଟାଇଥିଲା । କିନ୍ତୁ ଭଗ୍ୟବଶତଃ କୌଣସି ବ୍ୟକ୍ତିଙ୍କ ଜୀବନହାନୀ ଘଟିନାହିଁ, କିନ୍ତୁ ବର୍ତି ପରିଲେ ନାହିଁ କିଛି ନିରୀହ ଗାଈ । ତେବେ ଦୁର୍ଘଟଣା ପରେ ସହରରେ ଭୟ ଓ ଆତଙ୍କର ମାହୋଲ୍ ଦେଖା ଦେଇଛି । ପ୍ରତିଦିନ ସହରରେ ଦିନବେଳା ଭାରିଯାନ ପ୍ରବେଶ କରିବା ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ଓ ଅତୀତରେ ଏହି ଭାରିଯାନମାନଙ୍କ ଯୋଗୁଁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇଛି । ଆଗକୁ ଏହିସବୁ ସମସ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ତେଣୁ ଆଜି ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଳାନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀଙ୍କୁ ତାଙ୍କ କାର୍ୟ୍ୟାଳୟରେ ସାକ୍ଷାତ କରି ଟିଟିଲାଗଡ ସହରରେ ଦିନବେଳା “ନୋ ଏଣ୍ଟ୍ରି ଜୋନ୍” ଭାବରେ ଘୋଷଣା କରି ସକାଳ ୬ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଭାରିଯାନ ଚଳାଚଳ ନିଷେଧ କରିବା ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ । ସହରର ଚାରୋଟି ଏଣ୍ଟ୍ରି ପଏଣ୍ଟ ଯଥା କଲେଜ୍ ଛକ, ମହିଳା ମହାବିଦ୍ୟାଳୟ ଛକ, ଦେଶିଲ ଛକ, ଓ ଚିଙ୍ଗେରମୁଡ଼ା ଛକ ଠାରେ ପୋଲିସ ମୁତୟନ କରିବା ପାଇଁ ଦୃଢ ଦାବୀ ଉପସ୍ଥାପନ କରିଥିଲେ । ଆଜିର ଏହି ଦାବୀ ଉପସ୍ଥାପନ ସମୟରେ ଛାତ୍ର କ୍ରିୟାନୁଷ୍ଠାନ କମିଟି ସଭାପତି ଶୁଭମ୍ ଆଚାର୍ୟ୍ୟ, ଚନ୍ଦନ ପଣ୍ଡା, ଅଭିନାସ ବଗର୍ତ୍ତୀ, ରିତୁରଜା ତାଣ୍ଡି, ରାଜା ବେହେରା, ନିରଞ୍ଜନ ରଣା, ହେମରାଜ ବେହେରା, ଟିକୁ ମଛଖଣ୍ଡ, ମୁନା ମିଶ୍ର, ଆଶିଫ୍ ଖାନ୍, ମିତୋଶ ନାୟକ, ରୋଶନ ତାଣ୍ଡି, ରିକି କଟା ପ୍ରମୁଖ ଉପସ୍ଥିତ ରହିଥିଲେ । ଟିଟିଲାଗଡ ବିକାଶ ସେନାର ଦାବୀ ପ୍ରତି ଟିଟିଲାଗଡବାସୀଙ୍କ ସମୂର୍ଣ୍ଣ ସମର୍ଥନ ଥିବା ଜଣାପଡିଛି ।

Leave A Reply

Your email address will not be published.