pakka

ଅଦିନିଆ ବର୍ଷାରେ ଭାଙ୍ଗିଲା ଘର : ଅଳ୍ପକେ ବର୍ତ୍ତିଲେ ପରିବାର, ଆବାସ ଯୋଜନାରେ ଗୃହ ଯୋଗାଇ ଦେବାକୁ ଦାବୀ

bbehera

ନୂଆପଡ଼ା, (ନିରାକର ମେହେର) :ସିନାପାଲି ବ୍ଲକ କଇଟପଦର ପଞ୍ଚାୟତ ହଲଦୀମୁଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଅଦିନିଆ ବର୍ଷାରେ ଭାଙ୍ଗି ଭୁଶୁଡି ପଡିବା ଦ୍ୱାରା ଅଳ୍ପକେ ପରିବାର ଲୋକେ ବର୍ତ୍ତି ଯାଇଥିବା ଜଣାପଡିଛି । ଉକ୍ତ ବ୍ୟକ୍ତି ଜଣକ ହଲଦୀମୁଣ୍ଡା ଗ୍ରାମର ଭିନ୍ନକ୍ଷମ ରାଏ ସିଂ ଗହୀର ବୋଲି ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁସାରେ ବୁଧବାର ଦିନ ମଧ୍ୟରାତ୍ରିରେ ଅଦିନିଆ ବର୍ଷା ଯୋଗୁଁ ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଘର ଭାଙ୍ଗି ଭୁଶୁଡି ପଡିଥିଲା । ଘର ଭାଙ୍ଗିବା ଦ୍ୱାରା ପରିବାର ବର୍ତ୍ତମାନ ନିରାଶ୍ରୟ ହୋଇ ପଡିଛନ୍ତି । ରାଏ ସିଂ ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ପରିବାର କହିଲେ ସ୍ତ୍ରୀ ଉଷା ଗହୀର, ପୁଅ ମାଙ୍ଗିରାମ ଓ ବୋହୁ କବିତା ଗହୀର । ଉକ୍ତ ପରିବାର ବିପିଏଲ ଅନ୍ତର୍ଭୁକ୍ତ ହୋଇଥିବା ବେଳେ କୁଳି ମଜୁରୀ କରି ଏକ ଝାଟିମାଟି କୁଡ଼ିଆରେ ରହୁଥିଲେ । ଅଦିନିଆ ବର୍ଷାର କୋପ ଦୃଷ୍ଟିରେ ନିରାଶ୍ରୟ ହୋଇ ମୁଣ୍ଡରେ ହାତଦେଇ ବସିଛନ୍ତି ପରିବାର ଲୋକେ । ଅତ୍ୟନ୍ତ ଗରିବ ପରିବାର ହୋଇଥିବା ବେଳେ ଜମିବାଡ଼ି ନାମକୁ ମାତ୍ର । ସମ୍ପତ୍ତି କହିଲେ ରାସନ କାର୍ଡ ଖଣ୍ଡିକ ଓ ରାଏ ସିଂର ଭିନ୍ନକ୍ଷମ ଭତ୍ତା ଏବଂ ତା ସ୍ତ୍ରୀର ବାର୍ଦ୍ଧକ୍ୟ ଭତ୍ତା । ରାସନ କାର୍ଡରେ ୪ ଜଣଙ୍କ ପାଇଁ ମିଳୁଥିବା କୋଡିଏ କିଗ୍ରା ଚାଉଳ ଓ ଭତ୍ତା ପଇସା ସହ କୁଳିମଜୁରୀ କରି ପରିବାର ଲୋକେ ଚଳନ୍ତି । ଭାଗ୍ୟରେ ଭଲ ଘର ଖଣ୍ଡିକ କରିବା ପରିବାର ପକ୍ଷେ ସାତ ସପନ ପାଲଟିଛି ବୋଲି ରାଏ ସିଂ କହିଛନ୍ତି । ଦୁଇ କୋଠରୀ ବିଶିଷ୍ଟ ଚାଳଛପର ଘରେ ପରିବାର କଷ୍ଟେମଷ୍ଟେ ରହି ଆସୁଥିଲେ । ଘର ଭାଙ୍ଗି ଭୁଶୁଡି ପଡିବା ଦ୍ୱାରା ପରିବାର ଅସହାୟ ଅବସ୍ଥାରେ ରହି ଭାଙ୍ଗି ପଡିଛନ୍ତି । ପୁଣି ଘର ଭୁଶୁଡିବା ଦ୍ୱାରା ଘରର ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଛି । ର୍ବମାନ ଉକ୍ତ ପରିବାର ଘର ଖଣ୍ଡିକ କରିବା ପାଇଁ ସକ୍ଷମ ନୁହନ୍ତି । ବହୁ ଦୟନୀୟ ଅବସ୍ଥାରେ ଅଛନ୍ତି । ଉକ୍ତ ପରିବାରକୁ ତୁରନ୍ତ କିଛି ସରକାରୀ ସହାୟତା ଯୋଗାଇ ଦେବା ସହ ବିଜୁ ପକ୍କାଘର ଯୋଗାଇ ଦେବାକୁ ପରିବାର ନିବେଦନ କରିଛନ୍ତି । ଏନେଇ ପରିବାର ପକ୍ଷରୁ କେନ୍ଦୁମୁଣ୍ଡା ରାଜସ୍ୱ ନିରୀକ୍ଷକ ଓ ସିନାପାଲି ବିଡ଼ିଓଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ସରପଞ୍ଚ ମୋତିଲାଲ ଘିଭେଳାଙ୍କୁ ଏନେଇ ପଚାରିବାରୁ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ନିକଟକୁ ଯାଇ କିଭଳି ଯଥାଶୀଘ୍ର ସରକାରୀ ସହାୟତା ଓ ତାଙ୍କ ବିଜ୍ଜୁ ପକ୍କାଘର ହୋଇପାରିବ ସେ ନେଇ ଚେଷ୍ଟା କରୁଛି ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

thirteen − eleven =