
ଟିଟିଲାଗଡ଼, (କେପିଏନ୍ଏସ୍) : ଟିଟିଲାଗଡ଼ରେ ତହସିଲଦାରଙ୍କ ପରିବାରକୁ ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ । ୮ରୁ ୧୦ ଜଣ ଦୁର୍ବୃତ୍ତ ରାସ୍ତାରେ ଗଛ ପକାଇ ଲୁଟ୍ ପାଇଁ ଯୋଜନା କରିଥିବା ବେଳେ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଛନ୍ତି ପରିବାର । କଳାହାଣ୍ଡି ଜିଲ୍ଲା ଜୟପାଟଣା ତହସିଲଦାର ଦୀପ୍ତିରେଖା ବାଗଙ୍କ ପରିବାର ବରଗଡ଼ରୁ ସିନ୍ଧେକେଲା ଫେରୁଥିବା ବେଳେ, ଟିଟିଲାଗଡ଼ ଥାନା ଗୋଏଲଭାଡ଼ି ବର୍ଣ୍ଣି ଜଙ୍ଗଲରେ ଏହି ଘଟଣା ଘଟିଛି । ବର୍ଣ୍ଣି ବୁଢ଼ା ମନ୍ଦିର ସାମ୍ନାରେ ରାସ୍ତା ଅବରୋଧ କରି ବନ୍ଧୁକ ଦେଖାଇ ଲୁଟ୍ ଉଦ୍ୟମ କରିଥିଲେ ଦୁର୍ବୃତ୍ତ । ହେଲେ ଡ୍ରାଇଭର ଗାଡ଼ିକୁ ଦ୍ରୁତ ଗତିରେ ନେଇ ସେଠାରୁ ଖସିଯିବାରେ ସଫଳ ହୋଇଥିଲେ । ଏଥିରେ ଡ୍ରାଇଭର ଆହତ ହୋଇଥିବା ବେଳେ ତହସିଲଦାରଙ୍କ ବାପା ଓ ମାଆ ସୁରକ୍ଷିତ ଅଛନ୍ତି । ଘଟଣାକୁ ନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି ।