jayashree

ମୁନିଗୁଡ଼ାରେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ପ୍ରଭାବ : ଠପ୍ ଗାଡ଼ି ଚଳାଚଳ, ବନ୍ଦ ରହିଲା ଦୋକାନବଜାର

ମୁନିଗୁଡ଼ା, (ରାମକାନ୍ତ ପଡାଲ) : ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ବିରୋଧୀ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ ପଡ଼ିଛି । ବନ୍ଦକୁ ସମର୍ଥନ ଜଣାଇ ମୁନିଗୁଡ଼ା ଓ ଅମ୍ବାଦଳା ବଣିକ ସଂଘ ପକ୍ଷରୁ ସ୍ୱତଃସ୍ଫୂର୍ତ୍ତ ଭାବେ ଦୋକାନବଜାର ବନ୍ଦ ରଖାଯାଇଥିଲା । ମୁନିଖୋଲ ଛକ, ଭୈରବଗଡ଼ ଛକ, ଅମ୍ବାଦଳା ମୁଖ୍ୟ ବଜାର ଛକ ଓ ଶାନ୍ତି ଛକ ନିକଟରେ କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଲଗାଇ ବନ୍ଦ ପାଳନ କରିଥିଲେ । ଖଣି ଆଇନ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଭୋଟର ତାଲିକାରେ ଏସ୍‌ଆଇଆର୍‌କୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି । ମୁନିଗୁଡ଼ା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାରଙ୍କ ନେତୃତ୍ୱରେ ବିଷମକଟକ ବିଧାୟକ ନୀଳମାଧବ ହିକକାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ବିଧାୟକ ନୀଳମାଧବ ହିକକା କହିଛନ୍ତି, ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ଆହୁରି ତୀବ୍ର ହେବ । ବନ୍ଦ ଯୋଗୁଁ ମୁନିଗୁଡ଼ା ଓ ଅମ୍ବାଦଳା ଅଞ୍ଚଳରେ ଗାଡ଼ି ଚଳାଚଳ ପ୍ରାୟ ସମ୍ପୂର୍ଣ୍ଣ ଠପ୍ ହୋଇଥିଲା । ଫଳରେ ଯାତ୍ରୀ, ଛାତ୍ରଛାତ୍ରୀ, ଜରୁରୀ କାମରେ ଯାଉଥିବା ଲୋକ ଓ ଦୈନନ୍ଦିନ ମଜୁରୀ ଉପରେ ନିର୍ଭରଶୀଳ ଶ୍ରମିକମାନେ ଅସୁବିଧାରେ ପଡ଼ିଥିଲେ । ଅନ୍ୟପଟେ, ବନ୍ଦକୁ ଦୃଷ୍ଟିରେ ରଖି ମୁନିଗୁଡ଼ା ଥାନା ଆଇଆଇସି ଲଳିତ କିଶୋର ସାଗର ଓ ଅମ୍ବାଦଳା ଥାନା ଆଇଆଇସି ପ୍ରଶାନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଥିଲା । ତେବେ ବନ୍ଦ ସମୟରେ କୌଣସି ଅପ୍ରୀତିକର ଘଟଣା ଘଟିନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.