jayashree

ଚାରି ଦଫା ଦାବି ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ : କେସିଙ୍ଗାରେ କଂଗ୍ରେସର ପୂର୍ଣ୍ଣ ସମର୍ଥନ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦିଆଯାଇଛି । ରାଜ୍ୟ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନରେ ଇଣ୍ଡିଆ ବ୍ଲକ୍ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦର ପ୍ରଭାବ କେସିଙ୍ଗା ସହରରେ ମଧ୍ୟ ଦେଖିବାକୁ ମିଳିଛି । ସକାଳ ୬ଟାରୁ କଂଗ୍ରେସ କର୍ମୀ ଓ ସମର୍ଥକମାନେ ସହରର ବିଭିନ୍ନ ଅଞ୍ଚଳରେ ପିକେଟିଂ କରି ଦୋକାନ ବଜାର ଓ ବିଭିନ୍ନ ପ୍ରତିଷ୍ଠାନ ବନ୍ଦ କରାଇଥିଲେ । ଅତ୍ୟାବଶ୍ୟକ ସେବା, ମେଡିକାଲ ଦୋକାନ ଓ ପନିପରିବା ବିକ୍ରୟକୁ ବାଦ୍ ଦେଲେ ଅନ୍ୟାନ୍ୟ ଦୋକାନ ବଜାର, ଚା’ ଦୋକାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ସ୍କୁଲ-କଲେଜ ବନ୍ଦ ରହିଥିଲା । ଏହି ବନ୍ଦ ଡାକରା ପଛରେ ରହିଛି ଚାରି ଦଫା ଦାବି । ଓଡ଼ିଶାର ସ୍ୱାର୍ଥ ଓ ଅଧିକାର ସୁରକ୍ଷା ପାଇଁ MMDR ସଂଶୋଧନ ଅଧିନିୟମ-୨୦୨୬ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା, ଶିକ୍ଷା ସିଲାବସ୍‌ରେ ତ୍ରୁଟି ଅଭିଯୋଗକୁ ନେଇ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଘନ ସର୍ଭେ କାର୍ଯ୍ୟକ୍ରମକୁ ରଦ୍ଦ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । କେସିଙ୍ଗାରେ ନଗର କଂଗ୍ରେସ ସଭାପତି ସୁଭାଷ ଜୈନଙ୍କ ନେତୃତ୍ୱରେ ବହୁ କଂଗ୍ରେସ ନେତା, ମହିଳା କଂଗ୍ରେସ କର୍ମକର୍ତ୍ତା ଓ ସମର୍ଥକମାନେ ବନ୍ଦରେ ସାମିଲ ହୋଇଥିଲେ । ଏହା ସହ ସିପିଏମ୍ ନେତା ଓ କର୍ମୀମାନେ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିଲେ । ବନ୍ଦକୁ ସଫଳ କରିବା ପାଇଁ ଟିକେମନ୍ ଦୀପ, ଜୋସ୍ନାରାଣୀ ବଗର୍ତ୍ତି, ରାମକୁମାର ଜୈନ, ରାମଲାଲ ସୁନାନୀ, ନିରୁପମା ତାଣ୍ଡି, ବିଜୟ ଦୀପ, ଜଗଦୀଶ ଅଗ୍ରୱାଲଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.