
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ ତଥା ବାମ ପନ୍ଥୀଦଳଙ୍କ ମିଳିତ ସହଯୋଗରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ବନ୍ଦ ପାଳନରେ ଗଞ୍ଜାମ ଜିଲ୍ଲାରେ ୮୦ ପ୍ରତିଶତ ବନ୍ଦ ପାଳନ ସଫଳ ହୋଇଛି ବୋଲି ଜଣାପଡ଼ିଛି । ବ୍ରହ୍ମପୁର, ଛତ୍ରପୁର, ଭଞ୍ଜନଗର ସବଡିଭିଜନ ପରିସରଭୁକ୍ତ ଅଞ୍ଚଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ସମସ୍ତ ଦାପ୍ତରାଞ୍ଚଳ, କୋର୍ଟ କଚେରୀ ବନ୍ଦ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରର ସମସ୍ତ ଦାପ୍ତରାଞ୍ଚଳ, କୋର୍ଟ କଚେରୀ, ବ୍ୟାଙ୍କ ସେବା ଆଦି ଆନ୍ଦୋଳନକାରୀ ବନ୍ଦ କରିଦେଇଛନ୍ତି । ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରି ଆନ୍ଦୋଳନକାରୀମାନେ ଅଫିସ୍ ତାଲା ବନ୍ଦ କରି ଦେଇଛନ୍ତି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ଜନମାରଣ ନୀତି ବିରୁଦ୍ଧରେ ଦୃଢ଼ ନିନ୍ଦା କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅନେକ ନେତ୍ତୃବର୍ଗ ତଥା ଆନ୍ଦୋଳନର ନେତୃତ୍ୱଧାରୀ ଗିରଫ୍ ହୋଇ ଜେଲ୍ ଗଲେ । ବରିଷ୍ଠ ସିପିଆଇ ନେତା କମ୍ରେଡ୍ ଏନ୍. ନାରାୟଣ ରେଡ୍ଡୀ, ଶ୍ରୀମତୀ ଏନ୍. ଭାନୁମତୀ ରେଡ୍ଡୀ, ନୀଳକଣ୍ଠ ଦାସ, ସିପିଏମ ନେତା ପର୍ଶୁରାମ ଗୌଡ଼, ବରିଷ୍ଠ କଂଗ୍ରେସ୍ ନେତା ଭାଗିରଥୀ ବେହେରା, ଗଞ୍ଜାମ ଜିଲ୍ଲା (ପୂର୍ବ) କଂଗ୍ରେସ୍ ପାର୍ଟିର ଉପ-ସଭାପତି ଅଶୋକ କୁମାର ପଟ୍ଟନାୟକ, କଂଗ୍ରେସ ନେତା ରାମସ୍ୱାମୀ ରେଡ୍ଡୀ, କାଳିଚରଣ ତ୍ରିପାଠୀ, ଛାତ୍ର କଂଗ୍ରେସ୍ ନେତା ଚକ୍ରପାଣି ପଲେଇ, ମହେଶ କୁମାର ଗୌଡ଼ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଦଳୀୟନେତୃବୃନ୍ଦଙ୍କ ଦ୍ଵାରା ଏହି ବନ୍ଦ ପାଳନ ସଫଳ ହୋଇପାରିଛି ।