ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ପାଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ପାଳନ ହୋଇଛି । ମାମଲାର ସିବିଆଇ ତଦନ୍ତ ସହ ଘଟଣାରେ ସଂପୃକ୍ତ ରାଜ୍ୟ ସରକାରଙ୍କ ଗୃହମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର ଦାବୀରେ ସକାଳ ୬ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଜିଲ୍ଲା ବିଜେପି ଡାକରାରେ ହୋଇଥିବା ବନ୍ଦ ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଥିବା ବେଳେ ଜିଲ୍ଲା ସଦର ମହକୁମା ସହ ଉଲୁଣ୍ଡା, ବିନିକା, ଡୁଙ୍ଗୁରିପାଲି ଓ ତରଭା ପ୍ରଭୃତି ସ୍ଥାନରେ ବନ୍ଦର ପ୍ରଭାବ ପଡିଛି । ବିଜେପି ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ବନ୍ଦରେ ବିଜେପି ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚାର କର୍ମୀମାନେ ବିଭିନ୍ନ ଛକରେ ରାସ୍ତାରୋକ କରିଛନ୍ତି । ଫଳରେ, ଜାତୀୟ ରାଜପଥ ୫୭ର ବିଭିନ୍ନ ସ୍ଥାନରେ ଶହଶହ ଯାନବାହାନ ଅଟକି ରହିଛି । ବନ୍ଦ ଯୋଗୁଁ ଦୋକାନ ବଜାର ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ, ହାଟ ହଟଲି ଓ ବ୍ୟାଙ୍କ ପରି ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି । ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଓ ସଂପୃକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବା ସହ ତୃଣମୂଳସ୍ତରକୁ ନିଆଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

five × one =