jayashree

ହଜିଗଲା ମାନବିକତା : ମୁଖାଗ୍ନିରୁ ବଞ୍ଚିତ ହେଲା ପୁଅ, ଝିଅ ଦେଲା ମୁଖାଗ୍ନି

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଡିଏଭି କଲେଜର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ବ୍ରଜମୋହନ ପଟେଲଙ୍କ ସହଧର୍ମିଣୀ ଲକ୍ଷ୍ମୀପ୍ରିୟା ପଟେଲ ଓରଫ ମିନୀ (୬୭)ଙ୍କ ଗତ ୫ ତାରିଖରେ ବିଳମ୍ବିତ ରାତ୍ରୀରେ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଝିଅ ସଂଘମିତ୍ରା, ଜ୍ୱାଇଁ କମଳ ଲୋଚନ, ନାତି ଆଦର୍ଶ ଓ ଆତ୍ମନ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗୀୟା ପଟେଲ ଜଣେ ମିଷ୍ଟଭାଷୀ, ସରଳ ହୃଦୟା, ପରୋପକାରୀ ଓ ଧର୍ମ ପରାୟଣା ମହିଳା ଭାବେ ବେଶ ପରିଚିତ ଥିଲେ । ଦୀର୍ଘ ବର୍ଷରୁ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ । ଗତ ୨ ତାରିଖ ଦିନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ପରେ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା । ବୁର୍ଲାରେ ଆଇସିୟୁ ନମିଳିବାରୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଗତ ୫ ତାରିଖ ବିଳମ୍ବିତ ରାତ୍ରୀରେ ତାଙ୍କ ସ୍ଥିତି ଜଟିଳ ହୋଇପଡ଼ିଥିଲା । ଏକ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ଼ ଆଣୁଥିବା ସମୟରେ ସଇଁନ୍ତଲା ନିକଟରେ ରାତ୍ରୀ ୨ ଘଣ୍ଟା ୩୦ ମିନିଟରେ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିବା ଝିଅ ଜ୍ୱାଇଁ ସନ୍ଦେହ କରିଥିଲେ । ଟିଟିଲଗଡ଼ ପହଞ୍ଚିବା ପରେ ଡାକ୍ତର ପରରକ୍ଷା କରି ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଟିଟିଲାଗଡ଼ ସହର ତଥା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି । ତେବେ ତାଙ୍କ ଏକମାତ୍ର ପୁଅ ତୀର୍ଥ ଜିଏସଟି ମାମଲାରେ ବିଚାରାଧୀନ ଅନ୍ତେବାସୀ ଭାବେ ରହିଥିବାରୁ ୧୫ ଦିନ କିମ୍ବା ସୁରକ୍ଷା ବଳୟରେ କେବଳ ମୁଖାଗ୍ନି ଦେବା ପାଇଁ ତାଙ୍କ ଓକିଲ ସ୍ଥାନୀୟ ଏସଡିଜେଏମଙ୍କ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ହେଲେ ଜଜ୍ ଆବେଦନକୁ ଖାରଜ କରିବାରୁ ପ୍ରାୟ ୭ଘଣ୍ଟା ବିଳମ୍ବରେ ସ୍ଥାନୀୟ ମୁକ୍ତିଧାମରେ ତାଙ୍କ ଅନ୍ତେଷ୍ଟି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପୁଅ ପପୁର ଅନୁପସ୍ଥିତିରେ ଝିଅ ସଂଘମିତ୍ରା ମୁଖାଗ୍ନି ଦେଇଥିଲେ । କରୋନା କଟକଣାକୁ ଦୃଷ୍ଟିରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅନ୍ୟପଟେ କୋର୍ଟର ନିଷ୍ପତିକୁ ନେଇ ବୁଦ୍ଧିଜୀବୀ ମହଲରେ ମାନବିକତା ହଜିଗଲା ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.