jayashree

ବେଆଇନ ପୋଷ୍ୟ ସନ୍ତାନ ଗ୍ରହଣ ଦଣ୍ଡନୀୟ ଅପରାଧ

  • ଆଇନସମ୍ମତ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆହ୍ୱାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଶିଶୁଙ୍କ ସୁରକ୍ଷା, ଅଧିକାର ଓ ଉଜ୍ଜ୍ୱଳ ଭବିଷ୍ୟତକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ଆୟୋଜିତ ହୋଇଛି ଜିଲ୍ଲାସ୍ତରୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା କାର୍ଯ୍ୟକ୍ରମ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଆନୁକୂଲ୍ୟରେ ‘ପୋଷ୍ୟ ସନ୍ତାନ ଗ୍ରହଣ ମାସ’ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷର ବାର୍ତ୍ତା ‘ଅବୈଧ ପୋଷ୍ୟ ସନ୍ତାନ ଗ୍ରହଣକୁ ନା କୁହନ୍ତୁ’ ଆଧାରରେ ଆୟୋଜିତ ଏହି ସଚେତନତା ସଭାକୁ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଶ୍ରୀ ନାୟକ କହିଥିଲେ ଯେ, ପ୍ରତ୍ୟେକ ଶିଶୁର ସୁରକ୍ଷିତ ଓ ସୁନ୍ଦର ଭବିଷ୍ୟତ ପାଇଁ ଏକ ସ୍ନେହପୂର୍ଣ୍ଣ ପାରିବାରିକ ପରିବେଶ ଅତ୍ୟନ୍ତ ଜରୁରୀ । ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛୁକ ଦମ୍ପତିମାନେ ସରକାରଙ୍କ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ଅନୁସରଣ କରିବା ଆବଶ୍ୟକ । ବେଆଇନ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିବାରୁ ଏ ଦିଗରେ ସମସ୍ତେ ସଚେତନ ରହିବାକୁ ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଂଯୁକ୍ତା ମହାରଣା, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଭାସ୍ୱତୀ ବାରିକ, ଡିଏସ୍‌ପି ନିରୁପମା ମଲ୍ଲିକ ଓ ଏଡିପିଏଚ୍‌ଓ ଡ. ସନାତନ କୁମାର ଦାସ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣର ବିଭିନ୍ନ ଦିଗ, ଶିଶୁ ସୁରକ୍ଷା ଓ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ନିଜ ମତ ରଖିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ ସଭା ପରିଚାଳନା କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଆଇନସମ୍ମତ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ଶିଶୁର ଅଧିକାର, ସୁରକ୍ଷା ଓ ଭବିଷ୍ୟତ ସୁନିଶ୍ଚିତ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ସାଧନ କର୍ମୀ ଜୀବନ କୃଷ୍ଣ ବେହେରା ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ଆଇନ ଓ ନିୟମାବଳୀ ବିଷୟରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସୁରକ୍ଷା ଅଧିକାରୀ ଅମର କୁମାର ଦେ ସମ୍ପର୍କୀୟଙ୍କ ମଧ୍ୟରେ ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ସାବତ ପିତାମାତାଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ଆଇନଗତ ତଥ୍ୟ ଓ ବିଧିବ୍ୟବସ୍ଥା ବୁଝାଇଥିଲେ । ଏହି ଅବସରରେ ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବେତନଟୀ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଛବିରାଣୀ ବେହେରା ଓ ମୋରଡ଼ା ଥାନାର ସବ୍‌-ଇନ୍ସପେକ୍ଟର ନିବେଦିତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ଆଇନସମ୍ମତ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଦୁଇ ଦମ୍ପତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ, ସିଡିପିଓ, ମେଡିକାଲ ଅଫିସର, ଥାନା ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ଓ ଶିଶୁ ଯତ୍ନ ଅନୁଷ୍ଠାନର ପ୍ରତିନିଧିଙ୍କ ସମେତ ଚାଇଲ୍ଡ ହେଲ୍ପଲାଇନ୍‌ର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ପରାମର୍ଶଦାତା ଦିଲ୍ଲୀପ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ୟୁନିଟ୍‌ର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା ।

Leave A Reply

Your email address will not be published.