ରବି -୨୦୨୨/୨୩ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ

  • ଜିଲ୍ଲାର କୃଷି ଓ କୃଷକଙ୍କୁ ସଶକ୍ତକରଣ ଆମର ଲକ୍ଷ୍ୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାର ରବି ୨୦୨୨-୨୩ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ ଅଧକ୍ଷତା କରି ଜିଲ୍ଲାର କୃଷି ଓ କୃଷକଙ୍କୁ ସଶକ୍ତକରଣ କରିବା ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ କୃଷି ଓ କୃଷକଙ୍କ ନିମନ୍ତେ କୃଷି କଲ୍ୟାଣ କାର୍ଯ୍ୟକ୍ରମକୁ ସଫଳ ଭାବରେ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର କୃଷି ବିଭାଗର ବ୍ଲକସ୍ତରୀୟ କୃଷି ଅଧିକାରୀ ମାନେ ନିଜ ନିଜ ବ୍ଲକ ଅଂଚଳରେ କ୍ଷେତ୍ର ପରିଦର୍ଶନ ସହ ଚାଷୀଙ୍କୁ ଚାଷ ଉପଯୋଗୀ ପରାମର୍ଶ ଦେବାକୁ ସୂଚନା ପ୍ରଦାନ କରିଛନ୍ତି । ଚଳିତ ରବି ଋତୁ ଚାଷକୁ ଧାର୍ଯ୍ୟ ମୁତାବକ ସଫଳ କରିବା ପାଇଁ କୃଷି ବିଭାଗ ଆବଶ୍ୟକ ମୁତାବକ ଅନ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ ରଖି କାର୍ଯ୍ୟ ସମ୍ପାଦନ କରିବାକୁ ସୂଚନା ଦିଆଯାଇଛି । ଏହା ଦ୍ୱାରା ଜିଲ୍ଲାର କୃଷି ଓ କୃଷକ ଉଭୟଙ୍କୁ ସମୃଦ୍ଧ କରାଯାଇପାରିବ ବୋଲି ଗୁରୁତ୍ୱାରୋପ କରାଯାଇଛି । ପୁନଶ୍ଚ ଜିଲ୍ଲାର ରବିଚାଷ ଉପଯୋଗୀ ଶତ ପ୍ରତିଶତ ଜମି ଯେପରି ଚାଷ ହୋଇପାରିବ ଓ ଚାଷୀମାନେ ଉପକୃତ ହେବେ ସେଥି ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି । ଆଜିର ଏହି ବୈଠକରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଗୌରୀ ଶଙ୍କର ସିଂ ସ୍ୱାଗତ ବକ୍ତବ୍ୟ ଦେଇ ଜିଲ୍ଲା କୃଷି ବିଭାଗ ତରଫରୁ ଚଳିତ ରବି ୨୦୨୨-୨୩ ବର୍ଷ ନିମନ୍ତେ ନିଆଯାଇଥିବା ବିଭିନ୍ନ କୃଷି ରଣନୀତିକୁ ବୈଠକରେ ଉପସ୍ଥାପନା କରିଥିଲେ । ଏହି ପରିପ୍ରେକ୍ଷୀରେ ଚଳିତ ରବି ନିମନ୍ତେ ସମୁଦାୟ ୮୮୭୪୦ ହେକ୍ଟର ଜମି ବିଭିନ୍ନ ଚାଷ ଉପଯୋଗୀ ରହିଥିବା ବେଳେ ତନ୍ମଧ୍ୟରୁ ୩୩୧୧୦ ହେକ୍ଟର ଜମିରେ ୧୮୧୧୪୫ ମେଟ୍ରିକ ଟନ ଧାନ, ୧୧୦ ହେକ୍ଟର ଜମିରେ ୧୧୧ ମେଟ୍ରିକ ଟନ ଗହମ, ୩୪୦ ହେକ୍ଟର ଜମିରେ ୭୮୨ ମେଟ୍ରିକ ଟନ ମକା ଉତ୍ପାଦନ ଲକ୍ଷ୍ୟ ରହିଥିବା ସୂଚନା ଦିଆଯାଇଛି । ସେହିପରି ଅଣ ଧାନ ଚାଷ ନିମନ୍ତେ ୩୫୧୮୦ ହେକ୍ଟର ଜମିରେ ଡାଲିଜାତୀୟ ଚାଷ କରାଯାଇ ୨୨୨୨୬ ମେଟ୍ରିକ ଟନ ଉତ୍ପାଦନ ଲକ୍ଷ୍ୟ ରହିଥିବା ସୂଚନା ଦିଆଯାଇଛି । ସେହିପରି ୬୬୨୦ ହେକ୍ଟର ଜମିରେ ତୈଳବୀଜ, ୧୦୬୭୦ହେକ୍ଟର ଜମିରେ ପନିପରିବା, ୨୬୮୦ ହେକ୍ଟର ଜମିରେ ମସଲା ଜାତୀୟ ଶସ୍ୟ ଏବଂ ୩୦ ହେକ୍ଟର ଜମିରେ ଆଖୁ ଚାଷର ଲକ୍ଷ୍ୟ ରଖାଯାଇ ଯଥାକ୍ରମେ ୨୨୨୨୬ ମେଟ୍ରିକ ଟନ ଡାଲିଜାତୀୟ ଫସଲ, ୫୮୭୦ ମେଟ୍ରିକ ଟନ ତୈଳ ବୀଜ, ୧୦୯୫୮୭ ମେଟ୍ରିକ ଟନ ପନିପରିବା, ୪୪୬୭ ମେଟ୍ରିକ ଟନ ମସଲା ଜାତୀୟ ଶସ୍ୟ ଓ ୩୭ ମେଟ୍ରିକ ଟନ ଆଖୁ ଉତ୍ପାଦନ ଲକ୍ଷ୍ୟ ରହିଥିବା ସୂଚନା ପ୍ରଦାନ କରାଯାଇଛି । ୨୦୨୨-୨୩ ରବି ଚାଷ ସମୟରେ ବୃହତ, ମଧ୍ୟମ, କ୍ଷୁଦ୍ର ଜଳ ସେଚନ ତଥା ଜିଲ୍ଲାର ଅନ୍ୟାନ୍ୟ ଜଳ ଉତ୍ସ ମାଧ୍ୟମରେ ୬୦୦୦୮ ହେକ୍ଟର ଜମିକୁ ଜଳସେଚନର ସୁବିଧା ରହିଥିବା ସୂଚନା ଦିଆଯାଇଛି । ଚଳିତ ବର୍ଷ ଜିଲ୍ଲାରେ ବିଭିନ୍ନ କିସମର ୫୫୬୮ କ୍ୱିଣ୍ଟାଲ ଧାନ ବିହନ, ମୁଗ ୧୧୩ କ୍ୱିଣ୍ଟାଲ, ବିରି ୩୮ କ୍ୱିଣ୍ଟାଲ, ସୋରିଷ ୧୯.୬୦ କ୍ୱିଣ୍ଟାଲ, ବାଦାମ ୩୧୮ କ୍ୱିଣ୍ଟାଲ, ରାଶି ୦୪ କ୍ୱିଣ୍ଟାଲ, ଗହମ ୦୭ କ୍ୱିଣ୍ଟାଲ, ସୂର୍ଯ୍ୟମୁଖୀ ୦୨ କ୍ୱିଣ୍ଟାଲ ସହ ସର୍ବମୋଟ ଅଦ୍ୟାବଧି ୬୦୬୯.୬ କ୍ୱିଣ୍ଟାଲ ଚାଷୀଙ୍କୁ ପ୍ରଦାନ ନିମନ୍ତେ ମହଜୁଦ ରହିଥିବା ସୂଚନା ଦିଆଯାଇ ଜିଲ୍ଲାର ପ୍ୟାକ୍ସ ଏବଂ ପ୍ରାଇଭେଟ ଡିଲର ଜରିଆରେ କୃଷକମାନଙ୍କୁ ଯୋଗାଇବାର ବ୍ୟବସ୍ଥା ରହିଥିବା ସୂଚିତ କରାଯାଇଛି । ପୁନଶ୍ଚ ବୈଠକରେ ଜିଲ୍ଲାର କୃଷି ଓ କୃଷକ ଙ୍କ ନିମନ୍ତେ ସମ୍ପୃକ୍ତ ବିଭିନ୍ନ ବିଭାଗ ତରଫରୁ ନିଆଯାଇଥିବା କୃଷି ସମ୍ୱନ୍ଧୀୟ ଅନ୍ୟାନ୍ୟ ବିଶେଷ ଆଲୋଚନା କରାଯାଇଥିଲା । ଆଜିର ଏହି ବୈଠକରେ ଏଡିଓ ବିଭୁତି ଭୂଷଣ ମିଶ୍ର, ଏଡିଓ ବିନୋଦ କୁମାର ଲାକ୍ରା, ପିଡି ୱାଟରଶେଡ଼ ରମେଶ ଦେହେରୀ, ଡ଼ିଡ଼ିଏମ୍‌ ନାବାର୍ଡ ତାପସ ଶଙ୍କର ରାଉତ, ଏଡିଏଚ୍‌ ହୃଷିକେଶ ଦାଶ, ଡିଡି ପ୍ଲାନିଂ ଚତୁର୍ଭୁଜ ସାହୁ, ଜିଏମ୍‌ ଡିଆଇସି ବଳଭଦ୍ର ନାୟକ, ଏଆର୍‌ସିଏସ୍‌ ବୀରମହାରାଜପୁର ଗଜେନ୍ଦ୍ର ମିଶ୍ର, ଏଲ୍‌ଆଇସି ପ୍ରଫୁଲ୍ଲ ବେହେରା, କୃଷି ଓଭର୍‌ସିଅର୍‌ ନବୀନ କିଶୋର ଖଟୁଆ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭାଗୀୟ ଜିଲ୍ଲା ତଥା ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଏପିଡି ଆତ୍ମା ମିତାଳି ମଧୁମିତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two + 16 =

error: Content is protected !!