ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବୈଠକ

ନୃସିଂହନାଥ, (କେପିଏନ୍‌ଏସ୍‌) : ସ୍ଥାନୀୟ ବିନ୍ଧ୍ୟବାସିନୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପଖଣ୍ଡସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଉପଖଣ୍ଡ ସଭାପତି ରାଜେନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ପୂର୍ବରୁ ପୂର୍ବତନ ବିଧାୟକ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଆଦିବାସୀମାନେ ଦିବଂଗତ ନେତା ସ୍ୱର୍ଗତ ସିଂ ବରିହାଙ୍କ ସ୍ମୃତିଚାରଣ କରିଥିଲେ । ଓଡିଶା ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ବିକାଶ ପାଇଁ ଭୁତପୂର୍ବ ଆଦିବାସୀ ଉନ୍ନୟନ ମନ୍ତ୍ରୀ ସ୍ୱର୍ଗତ ସିଂ ବରିହାଙ୍କ ଅତୁଳନୀୟ ଅବଦାନ ବୋଲି ଆଦିବାସୀ ନେତାମାନେ ପ୍ରକାଶ କରିଥିଲେ । ଓଡିଶାର ୧ ନମ୍ବର ନିର୍ବାଚନ ମଣ୍ଡଳୀ ପଦ୍ମପୁର ଅଣସଂରକ୍ଷିତ ଥିବା ସତ୍ୱେ ଲୋକଙ୍କ ଭଲ ପାଇବା ଯୋଗୁଁ ଆଦିବାସୀ ନେତା ସ୍ୱର୍ଗତ ସିଂ ବରିହା ୫ ଥର ବିଧାୟକ ହେବା ଓଡିଶା ଇତିହାସରେ ଐତିହାସିକ ଘଟଣା ବୋଲି ଆଦିବାସୀମାନେ ଗର୍ବ ଅନୁଭବ କରିଥିଲେ । ସ୍ୱର୍ଗତ ସିଂ ବରିହାଙ୍କ ବିୟୋଗରେ ସମଗ୍ର ଆଦିବାସୀ ସମାଜର ଲୋକଙ୍କ ବ୍ୟତିତ ଏହା ଆଦିବାସୀଙ୍କ ପାଇଁ ଅପୂରଣୀୟ କ୍ଷତି ବୋଲି ଆଦିବାସୀମାନେ ଦୁଃଖ ପ୍ରକାଶ କରିଥିଲେ । ଆଦିବାସୀମାନଙ୍କ ବିକାଶ ପାଇଁ ସମସ୍ତ ଆଦିବାସୀ ଏକଜୁଟ ହୋଇ ରହିବାକୁ ଆଦିବାସୀ ନେତାମାନେ ଆହ୍ୱାନ କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବରେ ସାଂସଦ, ରାଜ୍ୟସଭା ନିରଞ୍ଜନ ବିଶି, ସ୍ୱତନ୍ତ୍ର ଅତିଥି ଭାବରେ ପୂର୍ବତନ ପଦ୍ମପୁର ବିଧାୟକଙ୍କ ପୁଅ ଭୋଜରାଜ ସିଂ ବରିହା, ସର୍ବଭାରତୀୟ ବିନ୍ଧ୍ୟବାସିନୀ ସ୍ୱାଲାଖ ବିଂଝାଲ ସମାଜ ଲାଟ ସଭାପତି ହୃଷିକେଶ ବରିହା, ନନ୍ଦଲାଲ ବରିହା, ଆଶାରାମ ବରିହା, ରାଧେଶ୍ୟାମ ବରିହା, ଶବର ସମାଜ ସଭାପତି ତଥା ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ରାଉତ, ଭଜରାମ ରାଉତ, ନନ୍ଦଲାଲ ଭୋଇ, ସୁରେନ୍ଦ୍ର ନାଏକ, ଯୁଗଳ କିଶୋର ଭୋଇ, କନ୍ଧ ସମାଜର ସଭାପତି ରାଧେ ସାଆନ୍ତ, ଗିରି ସାଆନ୍ତ, ଗଣ୍ଡ ସମାଜ ସଭାପତି ଭଗବତିଆ ସିଙ୍ଗଦାଓ, ସହଦେବ ଧରୁଆ, ଚୈତୁ ସିଂ ଦାଓ, ବେଣୁ ଭୋଇ ପ୍ରମୁଖ ସହିତ ସମସ୍ତ ପଞ୍ଚାୟତସ୍ତରୀୟ ଆଦିବାସୀ ନେତା ଉପସ୍ଥିତ ଥିଲେ ।

ଆଦିବାସୀ ସମାଜର ବୈଠକ ପରେ ଲକ୍ଷେ ଘର ଗଣ୍ଡ ସମାଜର ଏକ ବୈଠକରେ ସାଂସଦ ଶ୍ରୀ ବିଶି ଯୋଗଦାନ କରି ଗଣ୍ଡ ସମାଜର ସାମୁହିକ ବିକାଶ ପାଇଁ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ । ଗଣ୍ଡ ସମାଜର ଭବନ ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ସାଂସଦଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଣ୍ଡ ସମାଜର ନେତା
ଦଶରଥ ଚାନ୍ଦ, ରାଜୁ ମହାନନ୍ଦ, ରାମରତନ ତାଣ୍ଡି, କ୍ଷେତ୍ରୀ ମୋହନ ଲୋହାର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

ten + 5 =