pakka

ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

bbehera
  • ଆସନ୍ତା ଜାନୁୟାରୀ ୨୬ରେ ବଲାଙ୍ଗିର ସୋନପୁର ରେଳ ଚଳାଚଳ ଆରମ୍ଭ ହେଉ : ଅଭିଭାବକ ମଂଚ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାର ସମ୍ମିଳନୀ କକ୍ଷରେ ଅଭିଭାବକ ମଂଚର କାର୍ଯ୍ୟକାରୀ କମିଟି ବୈଠକ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିରରୁ ବିଛୁପାଲି ପର୍ଯ୍ୟନ୍ତ ରେଳ ଚଳାଚଳକୁ ୨୦୧୯ ଜାନୁୟାରୀ ୧୫ ତାରିଖ ଦିନ ଲୋକାର୍ପଣ କରିଥିଲେ ମଧ୍ୟ ପରବର୍ତ୍ତି ଷ୍ଟେସନ ଝାରତରଭା ମାତ୍ର ୧୦ କିମି ଦୂରତାକୁ ଏ ପର୍ଯ୍ୟନ୍ତ ରେଳ ଚଳାଚଳ ହୋଇପାରିନାହିଁ । ଏହି ରେଳ ପ୍ରକଳ୍ପରେ ୨୦୨୨-୨୩ ବଜେଟରେ ୮୯୧ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ମଧ୍ୟ ଚଳିତ ଆର୍ଥିକ ବର୍ଷର ଜୁଲାଇ ପର୍ଯ୍ୟନ୍ତ ମାତ୍ର ୪୯ କୋଟି ୭୯ଲକ୍ଷ ୯୮ ହଜାର ଟଙ୍କା ମାତ୍ର ଖର୍ଚ୍ଚ ହୋଇପାରିଛି । ପୂର୍ବତଟ ରେଳ ପଥର ଉଚ୍ଚ ଅଧିକାରୀବୃନ୍ଦ ନିକଟରେ ବିଛୁପାଲି-ବୌଦ୍ଧ ରେଳପଥ ନିର୍ମାଣ କାର୍ଯ୍ୟ ତଦାରଖ କରି ମନ୍ଥର କାର୍ଯ୍ୟ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ରେଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଛନ୍ତି । ଏପରି ସ୍ଥିତିରେ ଆସନ୍ତା ବର୍ଷ ଜାନୁୟାରୀ ୨୬ ତାରିଖ ସୁଦ୍ଧା ବଲାଙ୍ଗିର- ସୋନପୁର ରେଳ ଚଳାଚଳ ଆରମ୍ଭ ହେବା ପାଇଁ ମଂଚର କାର୍ଯ୍ୟକର୍ତ୍ତା ଆଶାବ୍ୟକ୍ତ କରିଛନ୍ତି । କେବିକେ ଜିଲ୍ଲା ଗୁଡିକର ବ୍ୟାପକ ବିକାଶ ପାଇଁ କଣ୍ଟାବାଞ୍ଜି -ନବରଂଗପୁର ପ୍ରସ୍ତାବିତ ରେଳପଥ ଏକ ଜୀବନରେଖା ହୋଇଥିବାରୁ ତୁରନ୍ତ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରେ ଦାବୀ ଉପସ୍ଥାପନ ପାଇଁ ସ୍ଥିର ହୋଇଥିଲା । ରେଳ ବିଭାଗ ତରଫରୁ ବଲାଙ୍ଗିର-ନୂଆପଡା ରେଳପଥର ସର୍ଭେ କାମ ଯଥା ଶୀଘ୍ର ଚୂଡାନ୍ତ କରି ନିର୍ମାଣ କାମ ଆରମ୍ଭ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବାକୁ ସିଦ୍ଧାନ୍ତ ହେଲା । ପାଟଣା ହାଇକୋର୍ଟର ପ୍ରତିଷ୍ଠା ଦିବସ ଚଳିତ ମାସ ୨୮ ତାରିଖରେ ପାଳନ କରିବା ପାଇଁ ସଭାରେ ସ୍ଥିର ହେଲା । ଜିଲ୍ଲାର ପ୍ରବୀଣ ଶିକ୍ଷକମାନଙ୍କୁ ପର୍ଯ୍ୟାୟ କ୍ରମେ ସମ୍ମାନିତ କରିବା ପାଇଁ ସିଦ୍ଧାନ୍ତ ହେଲା । ଉପ-ସଭାପତି ପ୍ରସନ୍ନ କୁମାର ମିଶ୍ର, ସଂପାଦକ ଗୋବିନ୍ଦ ମିଶ୍ର ତଥା କମିଟି ସଦସ୍ୟ ଦିବାକର ହୋତା, କୃଷ୍ଣଚନ୍ଦ୍ର ମହାକୁର, ପୂର୍ଣ୍ଣଚନ୍ଦ୍ର ଦାଶ, ଶ୍ରଦ୍ଧାକର କମ୍ପ, ହରେକୃଷ୍ଣ ପଟେଲ ତଥା ସନ୍ତୋଷ କୁମାର ସରାଫ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭ୍ୟ ପୁରୁଷୋତ୍ତମ ପଣ୍ଡା ଧନ୍ୟବାଦ ଦେଇଥିଲେ ।

jay balangir
Leave A Reply

Your email address will not be published.

twelve − six =