ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ

  • ଏହି ଦିବସକୁ ପୂର୍ଣ୍ଣ ମର୍ଯ୍ୟାଦାର ସହ ପାଳନ କରିବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ
  • ବିଧାନସଭା ସୌଧ ସମ୍ମୁଖରେ ହେବ ସାମୁହିକ ପ୍ୟାରେଡ୍
  • ଉତ୍କଳ ମଣ୍ଡପରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଦିନ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ପ୍ରସ୍ତୁତିକୁ ଯୋରଦାର କରାଯାଇଛି । ଏଥିପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ସୂଚନା ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନର ଗୁରୁତ୍ୱ ସଂପର୍କରେ ଆଲୋକପାତ କରିଥିଲେ । ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଦିବସ ପାଳନର ପ୍ରସ୍ତାବିତ କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ । ‘’ରାଜଧାନୀ ପ୍ରତିଷ୍ଠା ଦିବସକୁ ରାଜଧାନୀ ଭୁବନେଶ୍ୱରର ଜନ୍ମଉତ୍ସବ ଭାବେ ପୂର୍ଣ୍ଣ ମର୍ଯ୍ୟାଦା ସହ ପାଳନ କରିବାକୁ’’ ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଏହି ଦିବସ ପାଳନରେ ସରକାରୀ ବିଭାଗ, ଭୁବନେଶ୍ୱର ପୌର ପରିଷଦ, ଜନ ପ୍ରତିନିଧି, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି ଓ ସାଂସ୍କୃତିକ ଅନୁଷ୍ଠାନମାନଙ୍କୁ ସାମିଲ କରି ଏହାକୁ ଏକ ଆକର୍ଷଣୀୟ ଜନ-ଉତ୍ସବରେ ପରିଣତ କରିବା ପାଇଁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ନିମନ୍ତେ ସୂଚନା ଲୋକ ସଂପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ (ବି.ଏମ୍.ସି.), ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଖୋର୍ଦ୍ଧାର ଜିଲ୍ଲାପାଳ ଏବଂ ପୋଲିସ୍ କମିଶନରେଟଙ୍କୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତେ ୧୨ ତାରିଖ ଦିନ ମିଳିତ ପ୍ୟାରେଡ୍ ଅଭ୍ୟାସ କରାଯିବ । ୧୩ ତାରିଖ ସକାଳ ୮ ଘଟିକା ସମୟରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବେ । ଏହି ପ୍ୟାରେଡ୍ ବିଧାନସଭା ସୌଧ ସମ୍ମୁଖ ରାଜଧାନୀ ପ୍ରତିଷ୍ଠା ଫଳକ ସମ୍ମୁଖ ରାସ୍ତାରେ ରବିନ୍ଦ୍ର ମଣ୍ଡଠାରୁ ଜୟଦେବ ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସଂଧ୍ୟାରେ ସାଧାରଣ ସଭା ଓ ସାଂସ୍କୃତିକ କାର୍ୟ୍ୟକ୍ରମ ସ୍ଥାନୀୟ ଉତ୍କଳ ମଣ୍ଡପ ପରିସରରେ ଅନୁଷ୍ଠିତ ହେବ । ଏପ୍ରିଲ ୧୩ ତାରିଖ ଠାରୁ ୧୫ ତାରିଖ ପର୍ୟ୍ୟନ୍ତ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମାଧ୍ୟମରେ ଉଚ୍ଚମାନର ରାଜ୍ୟସ୍ତରୀୟ କଳା ଅନୁଷ୍ଠାନମାନଙ୍କୁ ଏଥିରେ ସାମିଲ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ଆସନ୍ତା ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ ବର୍ଷ ପୁର୍ତ୍ତୀ ହେଉଥିବାରୁ ଏହାକୁ ଏକ ମହୋତ୍ସବ ଭାବେ ପାଳନ କରିବା ନିମନ୍ତେ ଆଗୁଆ ପ୍ରସ୍ତୁତି କରିବାକୁ ଶ୍ରୀ ଜେନା ବି.ଏମ୍.ସିଙ୍କୁ ପରାମର୍ଶ ଦେଇଥିଲେ ଏବଂ ଆସନ୍ତା ବର୍ଷ ଠାରୁ ବିଏମ୍‌ସି ମାଧ୍ୟମରେ ପ୍ରତିବର୍ଷ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ବି.ଏମ୍.ସି.ର କମିଶନର ସଂଜୟ କୁମାର ସିଂ, ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ଼ଃ ସନ୍ତୋଷ ବାଳା, ସୂଚନା ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଖୋର୍ଦ୍ଧାର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଭୁବନେଶ୍ୱର ଡ଼ି.ସି.ପି ଉମାଶଙ୍କର ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ପ୍ରଦୋଷ ପଟ୍ଟନାୟକ, ସଂପାଦକ ସନତ୍ ମିଶ୍ର ଏବଂ ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ପ୍ରମୁଖ ପୂର୍ବ ବର୍ଷମାନଙ୍କରେ ଏହି ଦିବସ ପାଳନ ସଂପର୍କିତ ସବିଶେଷ ସୂଚନା ଦେଇଥିଲେ ।

Leave A Reply

Your email address will not be published.