jayashree

ସୁବର୍ଣ୍ଣପୁର ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଆପାତକାଳୀନ ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାସାୟନିକ ଦୁର୍ଘଟଣା ଓ ଏହାର ସଠିକ ପରିଚାଳନା ନିମିତ୍ତ ଆପାତକାଳୀନ ପ୍ରସ୍ତୁତି ଏବଂ ମୁକାବିଲା ପଦକ୍ଷେପ ବିଷୟରେ ସମୀକ୍ଷା କରଯାଇଥିଲା । ବଲାଙ୍ଗିର ମଣ୍ଡଳ ଆସିଷ୍ଟାଣ୍ଟ ଡିରେକ୍ଟର ଫ୍ୟାକ୍ଟ୍ରି ଆଣ୍ଡ ବଏଲର, ଦୃଶ୍ୟଶ୍ରାବ୍ୟ ଉପସ୍ଥାପନ ମାଧ୍ୟମରେ ବୈଠକର ଲକ୍ଷ୍ୟ ଉଦ୍ଦେଶ୍ୟ ବର୍ଣ୍ଣନା କରିବା ସହ ଜିଲ୍ଲା ଆପାତକାଳୀନ ଦଳର କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଜିଲ୍ଲାରେ ଥିବା କ୍ଷୁଦ୍ର ଫ୍ୟାକ୍ଟ୍ରି ଗୁଡିକର ପରିଚାଳକ/ମାଲିକ ମାନେ ଆପାତକାଳୀନ ପରିସ୍ଥିତି ଉପୁଜିଲେ ବା ଆପାତକାଳୀନ ରାସାୟନିକ ଦୁର୍ଘଟଣା ପରିଚାଳନା ପାଇଁ ବିପର୍ୟ୍ୟୟ ପୂର୍ବରୁ, ବିପର୍ୟ୍ୟୟ ସମୟରେ ଓ ବିପର୍ୟ୍ୟୟ ପରବର୍ତ୍ତୀ ସମୟରେ କଣ କଣ ପଦକ୍ଷେପ ନେଇଛନ୍ତି ବା କଣ କଣ ପଦକ୍ଷେପ ଗ୍ରହଣ କରିବେ ତାହା ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ସଡକ ପଥରେ ପରିବହନ ହେଉଥିବା ରାସାୟନିକ ପଦାର୍ଥ ଓ ବିପଦପୂର୍ଣ୍ଣ ଗ୍ୟାସ ଦୁର୍ଘଟଣା ଘଟିଲେ ତାହାର ସୁପରିଚାଳନା କିପରି କରାଯାଇପାରିବ ସେଥି ନିମିତ୍ତ ଏକ ଆଦର୍ଶ କାର୍ଯ୍ୟ ନିର୍ବାହ ନିୟାମକ ବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୋର (ଏସ୍‌ଓପି) ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଗଲା । ରାସାୟନିକ ପଦାର୍ଥ ଓ ବିପଦପୂର୍ଣ୍ଣ ଗ୍ୟାସ ଦୁର୍ଘଟଣା ଗୁଡିକର ତ୍ଵରିତ ପରିଚାଳନା ନିମିତ୍ତ ଆଞ୍ଚଳିକ ଆପାତକାଳୀନ ଦଳ ଗଠନ କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଡେପୁଟି ଡିରେକ୍ଟର ଫ୍ୟାକ୍ଟ୍ରି ଆଣ୍ଡ ବଏଲର, ରାୟଗଡା ବୈଠକ ସଂଯୋଜନା କରିବା ସହ ଫ୍ୟାକ୍ଟ୍ରି ଗୁଡିକ କେଉଁ କେଉଁ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ନିତାନ୍ତ ଜରୁରୀ ତାହା ଉପରେ ପରାମର୍ଶ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସମସ୍ତ ବିଭାଗୀୟ ସମନ୍ଵୟ ରକ୍ଷା ଉପରେ ଗୁରୁତ୍ଵାରୋପ କରିବା ସହ ସମସ୍ତଙ୍କ ମିଳିତ ସହଯୋଗରେ ବିପର୍ଯ୍ୟୟକୁ ପ୍ରତିହତ କରିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ବୈଠକରେ ଡା. ଦେବୀ ପ୍ରସାଦ ମହାପାତ୍ର, ଡିପିଏଚ୍‌ଓ, ସୁବର୍ଣ୍ଣପୁର, ରାଜେଶ କୁମାର ସାହୁ, ଜିଲ୍ଲା ଜରୁରୀ ଅଧିକାରୀ, ବିଶ୍ଵନାଥ ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଓସ୍ଡମା, ସୁଶ୍ରୀ ପ୍ରୀତି ସୁନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜିଲ୍ଲା ସ୍ତରୀୟ ସଦସ୍ୟ ତଥା ଜିଲ୍ଲାରେ ଥିବା କ୍ଷୁଦ୍ର ଫ୍ୟାକ୍ଟ୍ରି ଗୁଡିକର ପରିଚାଳକ/ମାଲିକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.