
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନର କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୬ ସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ସେପ୍ଟେମ୍ବର ୧୪ ତାରିଖ ସନ୍ଧ୍ୟା ସମୟରେ ହିନ୍ଦୀ ଦିବସ ସମାରୋହ ସିଭିକ୍ ସେଣ୍ଟରରେ ଆୟୋଜନ କରିବ ପାଇଁ ସ୍ଥିର କରାଯାଇଛି । ଏହି ଉପଲକ୍ଷେ ସବ୍ ଜୁନିଅର, ଜୁନିଅର ଓ ସିନିଅର ବିଦ୍ୟାର୍ଥୀଙ୍କ ପାଇଁ କ୍ରମଶଃ ରଚନା ଲିଖନ ଓ ଆଶୁ ବାକ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ । ବିଜୟୀ ପ୍ରତିଯୋଗୀଙ୍କୁ ହିନ୍ଦୀ ଦିବସ ସମାରୋହ ଦିନ ପୁରସ୍କୃତ କରାଯିବ । ୪ ଜଣ ସମ୍ବାଦଦାତାଙ୍କୁ ସମ୍ମାନିତ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା । କାର୍ଯ୍ୟକ୍ରମରେ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ର ନବମ, ଦଶମ ଶ୍ରେଣୀରେ ପଢ଼ୁଥିବା ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକ ଯୋଗଦାନ କରିବେ ବୋଲି ସ୍ଥିର କରାଗଲା । ଏହି ବୈଠକରେ ସଂସ୍ଥାନର ପୃଷ୍ଠପୋଷକ ତଥା ଟ୍ରଷ୍ଟି ସୁନୀଲ୍ କୟାଲ୍ ସଭାପତିତ୍ୱ କରିଥିଲାବେଳେ ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡଃ. ଜଗନ୍ନାଥ ଦାଶ ସ୍ୱାଗତ ଭାଷଣ ସହ ରିପୋର୍ଟ ଉପସ୍ଥାପନ କରିଥିଲେ । ଶେଷରେ ଉପ ସଭାପତି ତଥା ଟ୍ରଷ୍ଟି ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଶରତ ଚନ୍ଦ୍ର ପଣ୍ଡା, ସୁସ୍ମିତା ପାଲ୍ ଓ ମିନ୍ନି ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

