
- ଲୋକଙ୍କ ସମସ୍ୟାକୁ ଅବହେଳା କରୁଛି ସରକାର
- ବିଜୁଳି, ପାଣି ଓ ସାମାଜିକ ସୁରକ୍ଷା ବିଭାଗ ଉପରେ ଲୋକ ଅସନ୍ତୁଷ୍ଟ
- ଧାନକିଣା ସମସ୍ୟା
ବଲାଙ୍ଗିର, (କେପିଏନ୍ଏସ୍) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କୁଡାସିଂହା ଠାରେ କୁଡାସିଂହା, ଚିକଲବାହାଲ ଓ ଭୁତିଆରବାହାଲ ତିନୋଟି ପଂଚାୟତର ଲୋକଙ୍କୁ ଭେଟି ସେଠାକାର ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ତିନୋଟି ପଂଚାୟତରୁ ୪୦ରୁ ଉର୍ଦ୍ଧ୍ୱ ସଚେତନ ନାଗରିକ ତାଙ୍କ ପଂଚାୟତରେ ଥିବା ବିଭିନ୍ନ ସମସ୍ୟା ଯାହାକି ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇବା ସତ୍ୱେ ମଧ୍ୟ ସମାଧାନ ହୋଇପାରୁନାହିଁ । ସେସବୁର ଅଭିଯୋଗକୁ ନେଇ ଶ୍ରୀ ମିଶ୍ରଙ୍କ ଆଗରେ ନିଜର କ୍ଷୋଭ ପ୍ରକାଶ କରିଥିଲେ । ଲୋକେ କହିଥିଲେ ପିଇବା ପାଣି ସମସ୍ୟା ବର୍ଷ ତମାମ ଜାରି ରହିଛି । କୁଅଁ ଗୁଡିକର ପାଣି ତଳମୁହାଁ ହେଉଥିବାର ଯେତେ ଅଭିଯୋଗ କଲେ ହେଁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ତାର ପ୍ରତିକାର କରୁନାହିଁ । “ଘର ଘର ନଳ ଘର ଘର ଜଳ” କେବଳ ଏକ ପ୍ରତାରଣାରେ ପରିଣତ ହୋଇଛି । କେନ୍ଦ୍ର ସରକାରଙ୍କ ଅଧିନରେ ହିତାଧିକାରୀମାନେ ପାଉଥିବା ଭତ୍ତା ତିନି ମାସ ଚାରି ମାସ ହେଲା ନ ପାଇ ଲୋକେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଜୁଳି ଥରେ ଚାଲିଗଲେ ୧୨ ଘଣ୍ଟା ୧୮ ଘଣ୍ଟା ପର୍ଯ୍ୟନ୍ତ ଆସୁ ନଥିବାରୁ ଚାଷ ସାଙ୍ଗକୁ ପିଲାମାନଙ୍କ ପାଠ ପଢାରେ ମଧ୍ୟ ଘୋର ବ୍ୟାଘାତ ଘଟୁଛି । ଖରିଫ ହେଉ କି ରବି ହେଉ କୌଣସି ଋତୁର ଧାନ ସରକାର ଉଠାଇବାରେ ବିଫଳ ହେବା ଦ୍ୱାରା ଚାଷୀ ଘୋର ଅଭାବି ବିକ୍ରିର ସମ୍ମୁଖିନ ହେଉଛି । ଏଥିରେ କେବଳ ମିଲ ମାଲିକ ଓ ଦଲାଲ ବହୁତ ମୁନାଫା ପାଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ । ଏସବୁ ଶୁଣିବା ପରେ ଶ୍ରୀ ମିଶ୍ର ବିଜୁଳି, ଗ୍ରାମ୍ୟ ଜଳ ଯୋଗାଣ ତଥା ଯୋଗାଣ ବିଭାଗରେ ଥିବା ସମସ୍ୟାକୁ ନେଇ ଶୀଘ୍ର ଅଧିକାରୀମାନଙ୍କ ସହ ଆଲୋଚନା କରିବେ ଏବଂ ଏଥିପାଇଁ ପଂଚାୟତ ସ୍ତରରୁ ଏକ ଲିଖିତ ଅଭିଯୋଗ ଲୋକେ ତାଙ୍କ ପାଖକୁ ପହଂଚାନ୍ତୁ ବୋଲି ଅନୁରୋଧ କରିବା ସହ ଏପରି ସମସ୍ୟାକୁ ଯଦି ବିଭାଗ ଏବଂ ସରକାର ଅବହେଳା କରନ୍ତିି ତେବେ ଆଗାମୀ ଦିନରେ ଲୋକେ ନିଜ ଭିତରେ ଏକତା ରଖନ୍ତୁ ଏହାର ଜବାବ ନିଶ୍ଚିତ ଭାବରେ ରାଜରାସ୍ତାରେ ମଗାଯିବ ବୋଲି କହିଥିଲେ । ଆଜିର ଏହି ଆଲୋଚନା ସଭାରେ ଭୁତିଆରବାହାଲ ସରପଂଚ ନୀଳ ସେଠ, ସମିତି ସଭ୍ୟ ଅଜିତ ସାହୁ, ଲିଙ୍ଗରାଜ ପଟେଲ, ସୁନିଲ ପଟେଲ, କରୁଣା ବାଗ, ହିମାଂଶୁ ସାହୁ, ଉଜ୍ୱଳ ସାହୁ, ଜଳ ସାହୁ, କବି ପୁଟେଲ, ଜବ ଜେନା, ପ୍ରହ୍ଲାଦ ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସମେତ ବିଭିନ୍ନ ପଂଚାୟତରୁ ଆସିଥିବା ଲୋକେ ସାମିଲ ଥିଲେ ।

