
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ହେବାକୁ ଥିବା ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ନଅ ଦିନର ପର୍ବକୁ ଜନସାଧାରଣ କିପରି ଉତ୍ସାହ ଉଦ୍ଦୀପନା ସହିତ ପାଳନ କରିବେ ତା’ଉପରେ ଆଲୋଚନା କରାଯାଇଥିଲା । ରଜାପଡା ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ, ମେହେରପଡା ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ, ଶାନ୍ତିନଗର ମାଉସୀ ମା’ ମନ୍ଦିର ପୂଜା କମିଟି ସଦସ୍ୟ ଓ ସାହୁପଡା ମାଉସୀ ମା’ ମନ୍ଦିର କମିଟି ସଦସ୍ୟ ମାନଙ୍କ ସହିତ ପଦ୍ମପୁର ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ବିଦ୍ୟୁତ ବିଭାଗ, ବିଜ୍ଞାପିତ ଅଞ୍ଚଳ ପରିଷଦ ବିଭାଗ, ତହସିଲଦାର, କନିଷ୍ଠ ଯନ୍ତ୍ରୀ ଜଳ ବିଭାଗ ବୈଠକରେ ଉପସ୍ଥିତ ରହି ତାଙ୍କର ମତାମତ ରଖିଥିଲେ । ଥାନା ଛକରୁ ବସ୍ତିରୋଡ଼ର ସାଙ୍ଘାତିକ ଅବସ୍ଥା ଜାଣି ଉଦବେଗ ପ୍ରକାଶ କରି ଯୁଦ୍ଧକାଳୀନ ଭିତ୍ତିରେ ଆଜି ଠାରୁ ଦିନରାତି ରାସ୍ତା କାମ ସମ୍ପୂର୍ଣ୍ଣ କରିବା ସହିତ ପ୍ରତ୍ୟେକ ଦିନ ରାସ୍ତାସଫା ଓ ବ୍ଲିଚିଙ୍ଗ ପାଉଡର ସିଞ୍ଚନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଶାନ୍ତିନାଗର, ସାହୁପଡ଼ା ଏବଂ ପ୍ରତ୍ୟେକ ରାସ୍ତାର ଲାଇଟ ସଜାଡ଼ିବା ସହିତ ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ପର୍ଯ୍ୟାପ୍ତ ପରିମାଣରେ ଆଲୋକ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ରାସ୍ତାକଡ଼ରେ ଥିବା କୁଚିଆ ମଦ ଦୋକାନ ଓ ମାଂସ କଟାଳି ଦୋକାନ ମାନଂକୁ ନୋଟିସ ତଥା ପ୍ରଚାର ମାଧ୍ୟମରେ ରଥଯାତ୍ରା ପୂର୍ବଦିନରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ଦୋକାନ ଗୁଡିକ ବନ୍ଦ ରଖିବାକୁ ନିର୍ଦେଶ ଦିଆଯିବା ଉପରେ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଥିଲେ । ରାଜାଘର ପଡିଆରେ ଦଶମୀ ଦିନ ପ୍ରବଳ ଜନସମାଗାମ ହେତୁ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପିଏଚ୍ଡି ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା । ରଥଯାତ୍ରା ଓ ବାହୁଡା ଯାତ୍ରା ଦିନମାନଙ୍କରେ ଟ୍ରାଫିକ ବ୍ୟବସ୍ଥା ଠିକ ଭାବରେ ଓ ଦଳାଚକଟା ଯେମିତି ନ ହୋଇ ଶୃଙ୍ଖଳା ସହିତ ଯାତ୍ରା ସମାପନ ହେବା ଉପରେ ପୋଲିସ ବିଭାଗକୁ ଦାୟିତ୍ୱ ଅର୍ପଣ କରିବା ସହିତ ଏହି ଦୁଇଦିନ ରାସ୍ତାକଡ଼ରେ ଗାଡି ମଟର ପାର୍କିଙ୍ଗ ନ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯିବ । ଆଜିର ବୈଠକରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର କେହି ଜଣେ ବି ଉପସ୍ଥିତ ନଥିବାରୁ ଉପଜିଲ୍ଲାପାଳ କ୍ଷୋଭ ପ୍ରକାଶ କରିଥିଲେ । ଶେଷରେ ଭବାନୀ ଶଙ୍କର ମହନ୍ତ (ଓ.ଏ.ଏସ୍.) ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ କାର୍ଯ୍ୟାଳୟ, ପଦ୍ମପୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଇ ସଭାସାଙ୍ଗ କରିଥିଲେ ।

