
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁମାନଙ୍କର ସାମଗ୍ରିକ ବିକାଶ ଓ ସକାରାତ୍ମକ ଶିକ୍ଷା ପରିବେଶ ଗଠନକୁ ଲକ୍ଷ୍ୟ କରି ୟୁଥ୍ କାଉନସିଲ୍ ଫର୍ ଡେଭ୍ଲପ୍ମେଣ୍ଟ ଅଲ୍ଟର୍ନେଟିଭ (ୱାଇସିଡିଏ) ପକ୍ଷରୁ ଟୁ ଫିଟ୍ ଅହେଡ୍ ଟୁଗେଦର ପ୍ରକଳ୍ପ ଅଧୀନରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷକ ସଂସ୍ଥା (ଡାଏଟ୍), ଜିଲ୍ଲା ପ୍ରକଳ୍ପ ସମନ୍ୱୟକ (ଡିସିପି) ଓ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) କାର୍ଯ୍ୟାଳୟର ସହଯୋଗରେ ସାମାଜିକ, ଭାବନାତ୍ମକ ଏବଂ ନୈତିକ ଶିକ୍ଷା (ସିଲ) ଉପରେ ଦୁଇ ଦିନିଆ ଶିକ୍ଷକ ପ୍ରଶିକ୍ଷକ କାର୍ଯ୍ୟକ୍ରମ ଡାଏଟ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣରେ ବେଲପଡା ଓ ପୁଇଁନ୍ତଲା ବ୍ଲକର ବହୁ ସଂଖ୍ୟକ ଶିକ୍ଷକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଡାଏଟ୍ର ଅଧ୍ୟକ୍ଷ, ଇଟିଇଆଇର ଅଧ୍ୟକ୍ଷ, ୱାଇସିଡିଏର ଆଂଚଳିକ ପରିଚାଳକ, ଟିଏଫ୍ଏଟି ପ୍ରକଳ୍ପର ପ୍ରୋଗ୍ରାମ ମ୍ୟାନେଜର, ୱାଇସିଡିଏର ଜିଲ୍ଲା ସମନ୍ୱୟକ, ଟିଏଫ୍ଏଟିର ବ୍ଲକ ସମନ୍ୱୟକ, ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ଏବଂ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଉପସ୍ଥିତ ରହି ଶିକ୍ଷକମାନଙ୍କୁ ଉତ୍ସାହିତ କରିଥିଲେ । ବକ୍ତାମାନେ କହିଥିଲେ ଯେ, କେବଳ ଶୈକ୍ଷିକ ଜ୍ଞାନ ନୁହେଁ, ବରଂ ଶିଶୁମାନଙ୍କ ମଧ୍ୟରେ ସହାନୁଭୂତି, ଆତ୍ମବିଶ୍ୱାସ, ନୈତିକ ମୂଲ୍ୟବୋଧ, ସହଯୋଗୀ ମନୋଭାବ ଏବଂ ଭାବନାତ୍ମକ ଦକ୍ଷତାର ବିକାଶ ପାଇଁ ସିଲ ଅତ୍ୟନ୍ତ ଅବଶ୍ୟକ । ସେମାନେ ବିଦ୍ୟାଳୟ ସ୍ତରରେ ସିଲର କାର୍ଯ୍ୟକାରୀ ରୂପାୟନ ପାଇଁ ଶିକ୍ଷକମାନଙ୍କୁ ଆହ୍ୱାନ ଜଣାଇବା ସହ ୱାଇସିଡିଏର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ପ୍ରଶିକ୍ଷଣ ସମୟରେ ସିଲର ବିଭିନ୍ନ ଧାରଣା, ଶ୍ରେଣୀଗୃହରେ ଏହାର ବ୍ୟବହାର ପ୍ରୟୋଗ, ଶିଶୁମାନଙ୍କ ମାନସିକ ସୁସ୍ଥତା ଓ ନୈ÷ତିକ ବିକାଶ ସମ୍ପର୍କିତ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ପ୍ରଶିକ୍ଷଣ ଶିକ୍ଷକମାନଙ୍କୁ ଶିଶୁ କେନ୍ଦ୍ରିକ ଶିକ୍ଷା ପଦ୍ଧତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା ।

