
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଙ୍କଟ ପରିଚାଳନା ଗୋଷ୍ଠୀର ସମୀକ୍ଷା ବୈଠକ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ ବଲାଙ୍ଗିର ଜିଲ୍ଲାରେ ପେଟ୍ରୋଲିୟମ ଉତ୍ପାଦର ଯୋଗାଣ ବ୍ୟବସ୍ଥା ଓ ତଦାରଖ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଘରୋଇ ଏଲପିଜି ସିଲିଣ୍ଡରର ଅବୈଧ ବ୍ୟବସାୟିକ ବ୍ୟବହାରକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ନିୟମିତ ଚଢାଉ ଜାରି ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ଚିକିତ୍ସାଳୟ ଓ ଆଶ୍ରମ ବିଦ୍ୟାଳୟମାନଙ୍କରେ ଆବଶ୍ୟକତାନୁସାରେ ଏଲପିଜି ସିଲିଣ୍ଡର ଯୋଗାଣ ସୁନିଶ୍ଚିତ କରିବାକୁ ସମ୍ବନ୍ଧିତ ଅଧିକାରୀମାନଙ୍କୁ କହିଥିଲେ । ଘରୋଇ ଏଲପିଜି, ବ୍ୟବସାୟିକ ଏଲପିଜି, ପେଟ୍ରୋଲ ଓ ଡିଜେଲର ଗଚ୍ଛିତ ପରିମାଣ ସହିତ ପେଟ୍ରୋଲ ପମ୍ପଗୁଡ଼ିକରେ ଉପଲବ୍ଧତା ଥିବା ୫ କିଲୋଗ୍ରାମ ଏଲପିଜି ସିଲିଣ୍ଡର ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କ ଠାରୁ ଜିଲ୍ଲାପାଳ ବିସ୍ତୃତ ତଥ୍ୟ ଗ୍ରହଣ କରିଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଡିଆରସିଏସ ପ୍ରମୋଦ କୁମାର ବରିହା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ଡେପୁଟି କଲେକ୍ଟର (ଜରୁରୀକାଳୀନ ବିଭାଗ) ଶୋଭିନା ଭୋଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଟାଲିନା ପ୍ରଧାନୀ, ଜିଲ୍ଲା କୃଷି ଅଧିକାରୀ ଧୀରେନ ସିଂ ବରିହା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝି, ସାଧାରଣ ପରିଚାଳକ (ଜିଲ୍ଲା ଶିଳ୍ପ କେନ୍ଦ୍ର) ନିହାର ରଞ୍ଜନ ପାଣିଗ୍ରାହୀଙ୍କ ସହିତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ପେଟ୍ରୋଲିୟମ ଯୋଗାଣ କମ୍ପାନୀର ଅଧିକାରୀ ବୃନ୍ଦ, ସହାୟକ ଯୋଗାଣ ଅଧିକାରୀ (ସଦର ମହକୁମା) ପୀତବାସ ମଲ୍ଲିକ, ଶରତ କୁମାର ରାଉତ, ଗୋକୁଳ ଚନ୍ଦ୍ର ଭୋଇ ଓ ପ୍ରଣତୀ ପୃଷ୍ଟି ମଧ୍ୟ ବୈଠକରେ ଯୋଗଦେଇଥିଲେ ।