mahavir

ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା କମିଟି (ଦିଶା)ର ବୈଠକ କମିଟିର ଅଧ୍ୟକ୍ଷା ତଥା ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ପାଟଣାଗଡ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଏବଂ ବିଧାୟକ ମାନଙ୍କ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କ ସହ ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଅଧ୍ୟକ୍ଷା, ଦିଶା କମିଟିର ମନୋନୀତ ସଦସ୍ୟ ସଦସ୍ୟାଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ରମେଶ ସାହୁ, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଞ୍ଜନ ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ ସିଂ ବରିହା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଉପ ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ସୁଦେଶ କୁମାର ଚୌଧୁରୀ, ଡିଆର୍‌ସିଏସ୍‌ ପ୍ରମୋଦ କୁମାର ବରିହା ତଥା ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଏବଂ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଗୁଡିକର ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଅସମ୍ପୂର୍ଣ୍ଣ ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଏବଂ ଧାର୍ଯ୍ୟ ମାନଦଣ୍ଡକୁ ବଜାୟ ରଖି ଗୁଣବତ୍ତାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଭାବେ ପୋଲ ନିର୍ମାଣ, ରୂପାନ୍ତରିତ ହେଉଥିବା ରେଳ ଷ୍ଟେସନର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ, ଆମ୍ବୁଲାନ୍ସ ସେବା ସମ୍ପର୍କରେ, ଜାତୀୟ ସ୍ୱାସ୍ଥ୍ୟ ମିଶନର ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉନ୍ନତି ସମ୍ପର୍କରେ, କୃଷି, ମୃତ୍ତିକା ସଂରକ୍ଷଣ ତଥା ଜୈବିକ ପଦ୍ଧତ୍ତିରେ ଚାଷ, ଜଳସେଚନ, ଶିକ୍ଷା, ଗୋପାଳନ, ଗୋଶାଳା ନିର୍ମାଣ, ସମବାୟ ସମିତି ସମ୍ପର୍କରେ, ତୁଷୁରା ବିମାନ ଅବତରଣ ସ୍ଥଳ / ବିମାନବନ୍ଦର ତଥା ବିଭିନ୍ନ ପରିଯୋଜନାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା ହୋଇଥିଲା । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ସମୃଦ୍ଧି ସକାଶେ ବିଭାଗୀୟ ଅଧିକାରୀମାନେ ଉତ୍ତମ ସମନ୍ୱୟ ରଖି ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ପାଦନ କରିବା ସହ ଯୋଜନା ଗୁଡିକ ଯେପରି ତୃଣମୂଳ ସ୍ତରରେ ପହଞ୍ଚିପାରିବ, ସେଥିପ୍ରତି ଯତ୍ନବାନ ହେବାକୁ ଅଧ୍ୟକ୍ଷା ଶ୍ରୀମତୀ ସିଂହଦେଓ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକ ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.