ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କନଫରେନ୍ସ ହଲ୍‌ଠାରେ ଶୁକ୍ରବାର ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ଜସ୍ମିନ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସହକାରୀ ଯନ୍ତ୍ରୀ ଦିଗାମ୍ବର ନାୟକ, ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ । କାମଧେନୁ ସେବା ସମବାୟ ସମିତି ସମ୍ପାଦକ ଟୁନା ମହାରଣା ଆସୁଥିବା ବାତ୍ୟା ସମ୍ପର୍କରେ ସାମୟିକ ସୂଚନା ଦେଇଥିଲେ । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଏବଂ ବାତ୍ୟା ପରେ ଏସମସ୍ତ କ୍ଷେତ୍ରରେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବିଡ଼ିଓ ଜସ୍ମିନ ପ୍ରଧାନ କହିଛନ୍ତି । ଏଥିପାଇଁ ୧୦୦ଟି ସାଇକ୍ଲୋନ ସେଣ୍ଟର ଚିହ୍ନଟ କରାଯାଇଛି । ପାଣିପାଗ ବିଭାଗ ଠାରୁ ସୂଚନା ପାଇବା ପରେ କିଭଳି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ଜନପ୍ରତିନିଧିଙ୍କ ମତାମତ ଲୋଡ଼ିଥିଲେ ବିଡ଼ିଓ । ବିଶେଷ କରି ଗର୍ଭବତୀ ମହିଳା, ଶିଶୁ, ଭିନ୍ନକ୍ଷମ, ରୋଗୀ ବୃଦ୍ଧ ବୃଦ୍ଧାଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଡ଼ିଓ ସୂଚନା ଦେଇଥିଲେ । ସମୁଦ୍ରକୂଳ ନିକଟବର୍ତ୍ତୀ ଅଂଚଳ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଧନ ଜୀବନ କିପରି ରକ୍ଷା ପାଇବ ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ବାତ୍ୟା ସମୟରେ ପିଇବା ପାଣି, ବିଦ୍ୟୁତ ଏବଂ ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକରେ ଜେନେରେଟର ବ୍ୟବସ୍ଥା ପାଇଁ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.

eight + 3 =