ଆଜି ବୈଶାଖ ମେଳା ପୂର୍ଣ୍ଣିମାରେ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ଉଦ୍‌ଯାପିତ

  • ୧ ଲକ୍ଷ ୨୫ ହଜାର ବୀଜମନ୍ତ୍ର ଜପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ମନ୍ଦିରଠାରେ ନୃସିଂହନାଥ ଜନ୍ମୋତ୍ସବ ଓ ବୈଶାଖ ମେଳା ୧ ତାରିଖରୁ ଆରମ୍ଭ ହୋଇ ଆଜି ୫ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇ ଉଦ୍‌ଯାପିତ ହୋଇଯାଇଛି । ଏକ ଭବ୍ୟ କଳସ ଶୋଭାଯାତ୍ରାରେ ବାହାରି ମା’, ଭଉଣୀ ତଥା ଭକ୍ତମାନେ ଝରଣାର ଗଣେଣ ଘାଟରେ ପବିତ୍ର ପାଣି କଳସରେ ଆଣି ବିଶ୍ୱଶାନ୍ତି ମହାଯଜ୍ଞ ପୀଠରେ ସ୍ଥାପନ କରିଥିଲେ । ମହାପ୍ରଭୁଙ୍କ ଜନ୍ମୋତ୍ସବ ଚତୁର୍ଦ୍ଦଶୀ ତିଥିରେ ରାତିରେ ମହାପ୍ରଭୁ ନୃସିଂହନାଥଙ୍କୁ ସ୍ନାନ କରାଇ ନୂତନ ବସ୍ତ୍ର ପରିଧାନ କରି ସୁସଜ୍ଜିତ ବେଶ କରାଯାଇଥିଲା । ଆଳତି କରାଯାଇ ପିତକନ୍ଦା ଭୋଗ ଲାଗି ହେବା ପରେ ରାତ୍ର ୧୦ ଘଟିକାରେ ଚୂଡାମଣି ଭୁଏଙ୍କ ଦ୍ୱାରା ଧ୍ୱଜାବନ୍ଦନ କରାଯାଇଥିଲା ଓ ମହାଦୀପ ମଧ୍ୟ ଉଠିଥିଲା । ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତୀ ହୋଇଥିଲା । କର୍ତ୍ତା ଭାବେ ଚୂଡ଼ାମଣି ଭୁଏ ଓ ତାଙ୍କ ଧର୍ମପତ୍ନୀ ସନ୍ତୋଷିନୀ ଭୁଏ ଦାୟିତ୍ୱ ତୁଲାଇଛନ୍ତି । ପାଞ୍ଚ ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞରେ ପଣ୍ଡିତ ଡ଼ିଗ୍ରୀଧର ଦେବତାଙ୍କ ସହ ୧୬ ଜଣ ଦକ୍ଷ ପଣ୍ଡିତ ପୂଜାପାଠ ସହ ବିଶ୍ଵଶାନ୍ତି ମହାଯଜ୍ଞ ଓ ନୃସିଂହ ବୀଜମନ୍ତ୍ର ଜପ କରି ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି । ବୈଶାଖ ମେଳାରେ ଯଜ୍ଞ ପୀଠରେ ରୀତି ନୀତି ସହ ପୂଜା ପାଠ ହୋମ, ଆଳତୀ କରାଯାଇ ବିଶ୍ଵର ଶାନ୍ତି ଓ ମଙ୍ଗଳ ପାଇଁ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ହବନ କରାଯାଇଛି । ବୈଶାଖ ମେଳା କମିଟିର ସଭ୍ୟମାନେ ନିଜ ନିଜର ଦାୟିତ୍ୱ ତୁଳାଉଥିବା ବେଳେ ପୋଲିସ ବିଭାଗ, ପାନୀୟ ଜଳ ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଦମକଳ ବିଭାଗୀୟ କର୍ମଚାରୀମାନେ ନିଜ ନିଜର ଦାୟିତ୍ୱ ନିର୍ବାହ କରିଛନ୍ତି । ପଣ୍ଡିତମାନେ ବିଶ୍ଵଶାନ୍ତି ମହାଯଜ୍ଞ ପୀଠରେ ୧ ଲକ୍ଷ ୨୫ ହଜାର ନୃସିଂହ ବୀଜମନ୍ତ୍ର ଜପ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ନିଜ ନିଜର ପରିବାର ସହ ଭଗବାନ ମାର୍ଜାର କେଶରୀଙ୍କଠାରେ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ବୈଶାଖ ମେଳାରେ ରାଜ୍ୟ ବାହାରୁ ତଥା ପଡୋଶୀ ରାଜ୍ୟ ଛତିଶଗଡରୁ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ହୋଇଥିଲା । ଭକ୍ତମାନଙ୍କ ପାଇଁ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଦିନ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍ନଛତ୍ର ଓ ଜଳ ବଣ୍ଟନ କରିଥିଲେ । ୫ ଦିନ ଧରି ଶାନ୍ତି ଶୃଙ୍ଖଳା ସହିତ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ସମ୍ପନ୍ନ ହୋଇଥିବାରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ସାଧୁବାଦ ଜଣାଇଛନ୍ତି ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ପୁରୁଷୋତ୍ତମ ପ୍ରଧାନ ।

Leave A Reply

Your email address will not be published.

seventeen + two =