pakka

ବୁଢ଼ାବାହାଲରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଚାଲିଥିବା ବେଳେ ପାଟିତୁଣ୍ଡ ଓ ହୋ-ହାଲ୍ଲା, ଅଧାରେ ସରିଲା ବୈଠକ, ଫେରିଗଲେ ଚାଷୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବୁଢ଼ାବାହାଲ ସ୍ଥିତ କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ ବୈଠକରେ ସମବାୟ ସମିତିର ସଭାପତି ଧ୍ରୁବଚରଣ ସାହୁ ସଭାପତିତ୍ୱ କରିଥିଲେ । ସଭାରେ ସଇଁତଲା କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ପ୍ରସୂନ ପ୍ରତୀକ ବିଶ୍ୱାଳ, ବୁଢ଼ାବାହାଲ ସରପଞ୍ଚ ଲତା କୁମ୍ଭାର, ସମିତି ସଭ୍ୟ ମଣ୍ଟୁ ନାଗ, କନ୍ଧକେଲଗାଁ ସେବା ସମବାୟ ସମିତି ସଭାପତି ସନ୍ତୋଷ ପ୍ରଧାନ, ଉଦ୍ୟାନ ବିଭାଗର ହୃଦାନନ୍ଦ ମେହେର, ପ୍ରାଣୀଧନ ନିରୀକ୍ଷକ କିରଣ ପାଣିଗ୍ରାହୀ, ଗ୍ରାମ୍ୟ କୃଷକ ସେବକ ଲକ୍ଷପତି ଭୋଇ, ସମବାୟ ବ୍ୟାଙ୍କ ସୁପରଭାଇଜର ତୁମେଶ୍ୱର ସାହୁ ଓ ସମବାୟ ସମ୍ପାଦକ ଦମନା ସାହୁ ପ୍ରମୁଖ ଉପସ୍ଥିତ ରହି ଋଣ କର୍ମଶାଳା ଓ ସମବାୟ ବ୍ୟାଙ୍କିଙ୍ଗ ସେବା ଉପରେ ଚାଷୀ ତଥା ଅଞ୍ଚଳର ଜନସାଧାରଣମାନଙ୍କୁ ବୁଝାଇଥିଲେ । ଏଥିରେ ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦିଆଯିବ, ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୂମିହୀନ ଚାଷୀ ଓ ଭାଗ ଚାଷୀମାନଙ୍କୁ ବିନା ସୁଧରେ କୃଷି ଋଣ ପ୍ରଦାନ କରାଯିବ ବୋଲି ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମୟରେ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ବେନର ଉପରେ ଆଉ ଗୋଟେ ବେନର ନାବାର୍ଡ ସହାୟତା ଆର୍ଥିକ ସାକ୍ଷରତା ସଚେତନତା ଶିବିର ବେନର ଲଗାଯାଇଥିଲା । ଯାହାକୁ ନେଇ ଚାଷୀ ମୃତୁଞ୍ଜୟ ହୋତା ଓ ଆଉ କିଛି ଚାଷୀ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ଆଉ ଗୋଟିଏ ବେନର ଲଗାଗଲା, ମୁଖ୍ୟମନ୍ତ୍ରୀଙ୍କୁ ଅପମାନ କରାଯାଉଛି ବୋଲି ଚାଷୀମାନେ ପାଟିତୁଣ୍ଡ ହେବା ସହ ହୋ-ହାଲ୍ଲା ହୋଇ ଅଧା ବାଟରେ ବୈଠକ ବନ୍ଦ ହୋଇଯାଇଥିଲା । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । କିଛି ଚାଷୀ ଗୋଟିଏ ବୈଠକ ନାଁରେ ୨ଟି ବୈଠକ ଦେଖାଇ ଟଙ୍କା ଆତ୍ମସାତ ଉଦ୍ୟମ ଚାଲିଛି ବୋଲି ଅଭିଯୋଗ କରିଥିଲେ । ଏହି ପାଟିତୁଣ୍ଡ ସମୟରେ ବୈଠକରେ ଯୋଗଦାନ କରିଥିବା ଅଧିକାରୀମାନେ ଛିନ୍ନଛତ୍ର ହୋଇ ଫେରାର୍‌ ହୋଇଯାଇଥିଲେ । ଏ ନେଇ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ବିଶ୍ୱାଲଙ୍କୁ ପଚାରିବାରୁ ବେନର ଉପରେ ବେନର ଲଗାକୁ ନେଇ ଅଭିଯୋଗ କରିଥିଲେ ବୋଲି ପ୍ରକାଶ କରିଥିଲେ । ଏହି ବୁଢ଼ାବାହାଲ କୃଷି ସମବାୟ ସମିତି ଅଧିକାରୀମାନଙ୍କ ସହ ଚାଷୀମାନଙ୍କ ମଧ୍ୟରେ ତାଳମେଳ ଠିକ୍‌ ରହୁନ ଥିବାରୁ ଏଭଳି ଘଟିଥିଲା ବୋଲି ଚାଷୀ ମହଲରେ ବେଶ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.

seventeen − thirteen =