ବଢୁଛି ଚୋରି, ରାହାଜାନୀ, ଡକାୟତି : ଗୋଟିଏ ରାତିରେ ୩ ଦୋକାନରୁ ଚୋରି ଘଟଣାର ୨୪ ଘଣ୍ଟା ପରେ କୁଡ଼ାସିଂହାରୁ ପୁଣି ଚୋରି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଚାଲିଛି ଚୋର ପୁଲିସର ଲୁଚକାଳି ଖେଳ । କେତେବେଳେ ପୁଲିସ ଚୋରକୁ ଧରି କୋର୍ଟ ଚାଲାଣ କରୁଛି ତ ପୁଣି କେତେବେଳେ ପୁଲିସକୁ ଚକ୍‌ମା ଦେଖାଇ ଥାନାରୁ ମାତ୍ର ୫୦ ଫୁଟ ଦୂରରେ ଥିବା ଦୋକାନରୁ ଚୋରି କରି ଲୁଚି ରହୁଛି । ଦେଓଗାଁରୁ ଗୋଟିଏ ରାତିରେ ତିନି ଦୋକାନରୁ ଚୋରି ହେବାର ୨୪ ଘଣ୍ଟା ବିତି ନ ଥିବା ବେଳେ କୁଡ଼ାସିଂହାର ଏକ ମେକାନିକାଲ ଦୋକାନରୁ ଗତ ଗୁରୁବାର ରାତିରେ ଡକାୟତି ହୋଇଥିବା ଚର୍ଚ୍ଚା ହେଉଛି । ଏହି ଗାଁର ଦିବାକର ପଟେଲ କୁଡ଼ାସିଂହା ବସଷ୍ଟାଣ୍ଡରେ ଏକ ମେକାନିକାଲ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । କିନ୍ତୁ ଗତ ଗୁରୁବାର ରାତିରେ ଡକାୟତି ଦଳ ତାଲା କାଟି ଟାୟାର, ଟିୟୁବ, ଇଞ୍ଜିନ ଓଏଲ, କୁଲର ମଟର ଏବଂ ୧୩ ଶହ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳକୁ ବନ୍ଧପଡା ଫାଣ୍ଡି ଅଧିକାରୀ କମଲ ଲୋଚନ ମାଝୀ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ଦେଓଗାଁ ଥାନାକୁ ଲାଗିକି ଥିବା ଏକ ଦୋକାନରୁ ୨୮ ହଜାର ଟଙ୍କା ସହ ସାମଗ୍ରୀ ଚୋରି ହୋଇଥିଲା । ସେହିପରି ସାଗରପାଲି ଓ କୁଠୁର୍ଲାରୁ ବି ସେହି ସମାନ ଢଙ୍ଗରେ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ହେଲେ ଏହି ଘଟଣାକୁ ତିନି ଦିନ ବିତିଯାଇଥିଲେ ବି ଦେଓଗାଁ ପୁଲିସର ହାତ ଖାଲି ଥିବାରୁ ଚୋରି ଡ଼କାୟତିକୁ ନେଇ ଗାଁ ଗାଁରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପକ୍ଷରେ ଦେଓଗାଁ ପୁଲିସ ବଡବନ୍ଧ ପଞ୍ଚାୟତ ସିଲେଟକାନି ଗାଁରୁ ଏକ ଘର ସାମ୍ନାରେ ଥିବା ବାଇକକୁ ପୁଲିସ ଉଦ୍ଧାର କରିଛି । କିଏ ଓ କାହିଁକି ଏହି ବାଇକକୁ ଗାଁ ଦାଣ୍ଡରେ ଛାଡି ଚାଲିଯାଇଛି ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଏହି ବାଇକ୍ଟି ସୋନପୁର ଅଞ୍ଚଳର ବୋଲି ଲୋକେ କହିବା ସହ ଏହା ବାଇକ୍ ଚୋରି ଘଟଣା ଗୁଡ଼ିକରେ ସାମିଲ ଥିବା ଆଲୋଚନା ହେଉଛି । ଏହି ଗାଡ଼ିକୁ ନେଇ ଛାନଭିନ୍‌ କଲେ କିଛି ସୁରାକ ମିଳି ପାରିବ ବୋଲି ଅଞ୍ଚଳବାସୀ ଦାବୀ କରୁଛନ୍ତି ।

Leave A Reply

Your email address will not be published.