ପ୍ରଭୁକୃପାକୁ ଅନାଇ ବସିଛନ୍ତି ପ୍ରଭୁପ୍ରକାଶ : କିଡ୍‌ନି ପ୍ରତିରୋପଣ ପାଇଁ ଅର୍ଥ ବାଧକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଘରେ ୩୫ବର୍ଷର ପୁଅ ଶର୍ଯ୍ୟାଶାୟୀ । ବୃଦ୍ଧ ମା’, ବାପା ପୁଅର ଅବସ୍ଥା ଦେଖି ଅବାକ୍‌ । ସ୍ୱାମୀର ଚିକିତ୍ସା ପାଇଁ ସ୍ତ୍ରୀର ଅନବରତ ସଂଘର୍ଷ । ଏସବୁର ସାକ୍ଷୀ କୁନି ଝିଅର ନିରବତା । ସହାୟତା ଆଶାରେ ସମସ୍ତଙ୍କ ଆଖିରୁ ଝରୁଛି ଲୁହ । ଏକ ଚଳଚ୍ଚିତ୍ରର ଦୃଶ୍ୟ ଭଳି ମନେ ହେଉଥିବା ଏଭଳି ସତ କାହାଣୀ ଘଟିଛି ବଲାଙ୍ଗିର ସହର ଇନ୍ଦିରାନଗରଠାରେ । ଦୀର୍ଘ ୯ବର୍ଷ ହେଲା ପ୍ରଭୁପ୍ରକାଶ ନାୟକ (୩୫ବର୍ଷ) କିଡ୍‌ନି ରୋଗରେ ସଂଘର୍ଷ କରୁଛନ୍ତି । ତାଙ୍କ ପରିବାର ହେଲା ବାପା ପ୍ରମୋଦ ନାୟକ, ମା’ ସ୍ୱର୍ଣ୍ଣଲତା, ସ୍ତ୍ରୀ ଚନ୍ଦ୍ରମା ଏବଂ ୮ବର୍ଷର ଝିଅ ପିନାକୀ । ପ୍ରମୋଦ ତନଖି ଫାଟକରେ ଚାକିରି କରି ଅବସର ନେଲେଣି । ଏବେ ପେନ୍‌ସନ୍‌ ମାସିକ ମାତ୍ର ୩ ହଜାର ଟଙ୍କା । ପ୍ରଭୁ ଡ୍ରାଇଭର୍‌ ଭାବେ କାମ କରୁଥିଲେ ହେଁ ଯାହା ଉପାର୍ଜନ ହେଉଥିଲା, ହସଖୁସିରେ ସଂସାର ଚାଲୁଥିଲା । ୨୦୧୬ ମସିହାରେ ପ୍ରଭୁ ଅଚାନକ ଅସୁସ୍ଥ ହେଲେ । ଡାକ୍ତରଙ୍କୁ ଦେଖାଇବାରୁ ତାଙ୍କୁ ଯକ୍ଷ୍ମା ହୋଇଥିବ ବୋଲି ସନ୍ଦେହ କଲେ । ସେହି ହିସାବରେ ଉପଚାର ଆରମ୍ଭ ହେଲା । କିନ୍ତୁ ପ୍ରଭୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ କିଛି ଉନ୍ନତି ହେଲା ନାହିଁ । ସେ କିଡ୍‌ନି‌ ରୋଗରେ ଆକ୍ରାନ୍ତ ଥିବା ପରେ ଜଣାପଡ଼ିଲା । ୨୦୧୬ ମସିହାରୁ ହିଁ ସପ୍ତାହକୁ ତିନି ଥର ତାଙ୍କ ଡାଇଲିସିସ୍‌ ଚାଲିଛି । ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଏହି ଖର୍ଚ୍ଚ କଟୁଛି । କିନ୍ତୁ ଗତ ତିନି ମାସ ହେଲା ପ୍ରଭୁଙ୍କ ଅଣ୍ଟା ତଳକୁ ଅଚଳ ହୋଇପଡ଼ିଛି । ହ୍ୱିଲ୍‌ ଚେୟାର୍‌ରେ ତାଙ୍କ ଦିନ କଟୁଛି । ଡାକ୍ତରଙ୍କ ପରାମର୍ଶ ପରେ ମା’ ସ୍ୱର୍ଣ୍ଣଲତା ଗୋଟିଏ କିଡ୍‌ନି ଦେବାକୁ ରାଜି ଅଛନ୍ତି । କିନ୍ତୁ ଏହି ପ୍ରତିରୋପଣ ପାଇଁ ପର୍ଯ୍ୟାପ୍ତ ଅର୍ଥ ଆବଶ୍ୟକ । ୬ରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଛନ୍ତି । ବଲାଙ୍ଗିର ଅକ୍ସିଜେନ୍‌ ବ୍ୟାଙ୍କ ଓ ୧୯୮୨ ମାଟ୍ରିକ ବ୍ୟାଚ୍‌ର ପରି କିଛି ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନର ସହାୟତାରୁ ଲକ୍ଷେ ଟଙ୍କା ଯୋଗାଡ଼ କରି ପ୍ରଭୁଙ୍କୁ ବିଶାଖାପାଟଣା ନିଆଯାଇଛି । କିନ୍ତୁ ହାତରେ ଏବେ ମାତ୍ର ୩୦ ହଜାର ଟଙ୍କା । ସଫଳ ଅସ୍ତ୍ରୋପଚାର ପାଇଁ ସ୍ତ୍ରୀ ଚନ୍ଦ୍ରମା, ମୋବାଇଲ ନମ୍ବର- ୭୦୦୮୫୨୩୦୧୫, ବ୍ୟାଙ୍କ ଆକାଉଣ୍ଟ (ଏସ୍‌ବିଆଇଏନ୍‌ ୦୦୦୦୪୬/ ୩୬୨୯୫୭୫୯୨୩୬)ରେ ସହାୟତା କରିବାକୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

seven − seven =