ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଥାରେ ଅଛି ଘର ସଂସାର କଲେ କଳି ଅଛି । ସାମାଜିକ ସହାବସ୍ଥାନ ମଧ୍ୟରେ ପରସ୍ପର ମଧ୍ୟରେ ମାନ ମନାନ୍ତର, ଭୁଲ ବୁଝାମଣା, ପାରିବାରିକ ବିଦ୍ୱେଶ ଓ ଆକ୍ଷେପ – ପ୍ରତି ଆକ୍ଷେପ ରହିବା ସ୍ୱାଭାବିକ । ମାତ୍ର ଆମେ ବ୍ୟକ୍ତିଗତ ସ୍ୱାର୍ଥରୁ ଉଦ୍ଧ୍ୱର୍ରେ ରହି ନିଃସ୍ୱାର୍ଥପର ଭାବେ କର୍ତ୍ତବ୍ୟ ପାଳନ କଲେ ଗ୍ରାମ ତଥା ଅଂଚଳରେ ଶାନ୍ତି ପ୍ରତିଷ୍ଠା ହେବା ସହ ବିକାଶ ଓ ପ୍ରଗତିର ରାସ୍ତା ଉନ୍ମୁକ୍ତ ହୋଇପାରିବ ବୋଲି ବୁଧବାର ଅପରାହ୍ନରେ ଡେଲାଙ୍ଗ ଥାନା ଅନ୍ତର୍ଗତ ସାଉରିଆ ପଞ୍ଚାୟତ ଅଧିନ କୁଆପଦା ଗ୍ରାମର ବଣି ବକ୍ରେଶ୍ୱର ଦେବଙ୍କ ପୀଠ ପରିସରରେ ଅନୁଷ୍ଠିତ ଗ୍ରାମ୍ୟ ବିବାଦ ସମାଧାନ ସଂପର୍କିତ ପ୍ରସ୍ତୁତି ବୈଠକରେ ସର୍ବସମ୍ମତି ମତ ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ପରସ୍ପର ମଧ୍ୟରେ ତ୍ରୁଟିପୂର୍ଣ୍ଣ ବୁଝାମଣା ଓ ପାରସ୍ପରିକ ସଂପର୍କର ଅଭାବ ହେତୁ ବିଗତ ଦିନରେ କୁଆପଦା ଗ୍ରାମରେ ଲଗାତର ଦୁଇଟି ହତ୍ୟାକାଣ୍ଡ ହୋଇଥିଲା । ଏଥିରେ ଦୁଇଟି ପରିବାର ସର୍ବସ୍ୱାନ୍ତ ହେବା ସହ ଗ୍ରାମ ଏକ ପ୍ରକାର ପୁରୁଷଶୂନ୍ୟ ହୋଇଯାଇଥିଲା । ପରବର୍ତ୍ତୀ ସମୟରେ ଗଣ୍ଡଗୋଳ, ଗୃହଦାହ ଆଦି ଅମାନବୀୟ ଘଟଣା ଭାଇଚାରା ସଂପର୍କକୁ ଉଜ୍ଜିବୀତ କରିବା ଦିଗରେ ଘୋର ଅନ୍ତରାୟ ସୃଷ୍ଟି କଲା । ତେବେ ବିଧିର ବିଧାନ ତଥା ଠାକୁରଙ୍କ ଅନୁକୂଳ ଶୁଭ ଦୃଷ୍ଟିରୁ କୁଆପଦା ଗ୍ରାମବାସୀଙ୍କ ଉଦ୍ୟମରେ ବିଜୁ ଜନତା ଦଳର ତୁଙ୍ଗ ନେତାଙ୍କ ପ୍ରୟାସରେ ଦୀର୍ଘ ଦିନର ଗ୍ରାମ୍ୟ କଳହ ସମାଧାନ ଏବଂ ଭାଇଚାରା ସଂପର୍କକୁ ଯୋଡ଼ିବା ନିମନ୍ତେ ଏକ ବାଟ ଫିଟିଛି । ଜଟଣୀର ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ, ସାଂସଦ ପ୍ରତିନିଧି ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ସଦସ୍ୟ ବିଜନ ମହାପାତ୍ର, ସମାଜସେବୀ ରମେଶ ଚନ୍ଦ୍ର ପାଟ୍ଟଶାଣୀ, ଲଲାଟ କେଶରୀ ପାଇକରାୟ, ଚିତ୍ରସେନ ନିଶଙ୍କ, ସୁଜନପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁବାସ ବଳବନ୍ତରାୟ, ଯୁବ ବିଜେପି ନେତା ପ୍ରିୟବ୍ରତ ସାମନ୍ତରାୟ, ଜିଲ୍ଲା ବିଜେଡି ସଂପାଦକ ବିଜୟ କୁମାର ରାଉତରାୟ, ଯୁଧିଷ୍ଠିର ମାର୍ଥା, ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଗ୍ରାମରେ ଶାନ୍ତି ପ୍ରତିଷ୍ଠା କରିବା ସହ ସାମଗ୍ରୀକ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏଥିରେ ବ୍ଲକ୍ ବିଜେଡି ସଭାପତି ବୈରାଗୀ ଜେନା, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ଅଜୟ ରାଉତରାୟ ପ୍ରମୁଖ ଯୋଗ ଦେଇ କୁଆପଦା ଗ୍ରାମ ବିବାଦ ସମାଧାନ ପାଇଁ ସୁଚିନ୍ତିତ ମତାମତ ଦେଇଥିଲେ । ଶାନ୍ତି ବିନା ପ୍ରଗତି ନାହିଁ ବୋଲି ପ୍ରାକ୍ତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ କହିଥିବା ବେଳେ ଶାନ୍ତି ବଜାୟ ରହୁ, ଏକତା ରହୁ, ପ୍ରଗତି ଓ ବିକାଶ ଅବଶ୍ୟ ଆପଣା ଛାଏଁ ହୋଇପାରିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ । ବଣିବକ୍ରେଶ୍ୱର ମନ୍ଦିରର ଉନ୍ନତିକରଣ, ରାସ୍ତାର ବିକାଶ ଓ କଲ୍ୟାଣ ମଣ୍ଡପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗ୍ରାମବାସୀ ଦାବୀ କରିଥିଲେ । ତେବେ କଲ୍ୟାଣ ମଣ୍ଡପ ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଥିଲେ । ଚଳିତ ମାସ ୧୭ ତାରିଖ ପରେ ଏବଂ ମେ ମାସ ୨ ତାରିଖ ପୂର୍ବରୁ କୁଆପଦା ଗ୍ରାମ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ଘୋରଡ଼ିଆ ଗ୍ରାମର ଗୋପ ଘାଟଠାରେ ନିର୍ମିତ ହେଉଥିବା ଦୟାରୋଡ଼ କାର୍ଯ୍ୟ ଆଗାମୀ ଜୁଲାଇ ମାସ ୩୦ ପୂର୍ବରୁ ସଂପୂର୍ଣ୍ଣ କରାଯିବ ବୋଲି ବିଧାୟକ ଉମାକାନ୍ତ ସାମନ୍ତରାୟ ପ୍ରତିଶ୍ରୁତି ଦେଇଥିଲେ । କୁଆପଦା ଗ୍ରାମର ଦୀର୍ଘ ଦିନର ବିବାଦ ସମାଧାନ ଦିଗରେ ବିଜୁ ଜନତା ଦଳର ମନ୍ତ୍ରୀ, ନେତା ଓ କର୍ମୀମାନଙ୍କ ଆନ୍ତରିକ ଉଦ୍ୟମକୁ କୁଆପଦା ଗ୍ରାମବାସୀ ସାଧୁବାଦ ଜଣାଇଥିଲେ । ନିଳେନ୍ଦ୍ର ଜେନା, ରବିନ୍ଦ୍ର ସାହୁ, ଚିତ୍ରସେନ ନିଶଙ୍କ ଓ ଲଲାଟ କେଶରୀ ପାଇକରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Prev Post
Next Post