ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ରାଜ୍ୟ ସରକାର ପାନୀୟ ଜଳ ଯୋଗାଣକୁ ବିଶେଷ ଗୁରୁତ୍ୱ ଦେଇ ତତ ସମ୍ବନ୍ଧୀୟ ସମସ୍ୟା ଗୁଡ଼ିକର ତୁରନ୍ତ ସମାଧାନ ପାଇଁ ନିର୍ଦେଶ ଦେଇଛନ୍ତି । ଏଥିନିମନ୍ତେ ଏକ ଟୋଲଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି ଯାହାକି ଅନେକ ସମୟରେ ଲାଗୁନଥିବା ଅଭିଯୋଗ ହେଉଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ପୁଞ୍ଜିପଥର ଛକରେ ବାସ କରନ୍ତି ପ୍ରାୟ ୪୦ ପରିବାର, ଅଂଚଳର ମୁଖ୍ୟ ଛକ ହୋଇଥିବାରୁ ଏଠାରେ ପ୍ରତିଦିନ ଶହଶହ ଲୋକଙ୍କ ଭିଡ଼ ଜମିଥାଏ । କିନ୍ତୁ ଦୁଃଖଦ ବିଷୟ ଯେ ଏପର୍ୟ୍ୟନ୍ତ ପୁଞ୍ଜିପଥର ଛକରେ ପାନୀୟ ଜଳ ଯୋଗାଣ ନିମନ୍ତେ କୌଣସି ସୁବିଧା କରାଯାଇନାହିଁ । ମୁଖ୍ୟ ଛକରେ ଏକ ନଳକୂପ ରହିଛି ଯାହାର ପାଣି ଲୁଣିଆ ହୋଇଥିବାରୁ ପିଇବା ଯୋଗ୍ୟ ହେଇପାରୁନାହିଁ । ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ କିଛିଦିନ ପୂର୍ବରୁ ଏକ ନଳକୂପ ଖନନ କରାଯାଇଛି । କିନ୍ତୁ ସେଥିରେ ହ୍ୟାଣ୍ଡ ପମ୍ପ ଲଗାଯାଇ ନଥିବାରୁ ଲୋକେ ପିଇବା ପାଣିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ହସ୍ତକ୍ଷେପ କରି ତୁରନ୍ତ ନଳକୂପ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା ପାଇଁ ସ୍ଥାନୀୟ ଅଧିବାସୀ ଦାବୀ କରିବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ସମୟରେ ପାଇପ ଜଳଯୋଗାଣ କରିବା ପାଇଁ ଅନୁରୋଧ କରିଛନ୍ତି ।
Prev Post