ଆତ୍ମସମର୍ପଣ କଲେ ଶତାଧିକ ମାଓବାଦୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳା ପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେମାନେ ଆଉ ମାଓବାଦୀଙ୍କୁ ସମର୍ଥନ କରିବେ ନାହିଁ । ନିଜ ଅଞ୍ଚଳର ବିକାଶ ପାଇଁ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବେ ବୋଲି କହିଛନ୍ତି । ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ ଆଲ୍ଲୁରି ସୀତାରାମାରାଜୁ ଜିଲ୍ଲା ମୁଚିିଙ୍ଗପୁଟ ଥାନା ରଙ୍ଗବେଲ୍‌ ପଞ୍ଚାୟତର ପଡାଲପୁଟ, କୁସୁମପୁଟ, ମଟମପୁଟ, ଯୋଡିଗୁମ୍ମା ଗ୍ରାମର ୧୩ ମାଓବାଦୀ ରହିଛନ୍ତି । ଅନ୍ୟମାନେ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରାହାଲ ପଞ୍ଚାୟତର ଭେଜାଗୁଡା, ବିଶୋଇଗୁଡା, ଖାଲଗୁଡା, ପାତ୍ରପୁଟ ଅଞ୍ଚଳର ମାଓବାଦୀ ମିଲିସିଆ ଓ ସମର୍ଥକ ଥିବା ଜଣାପଡିଛି ।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାରେ ବିଏସ୍‌ଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ପରେ ଜିଲ୍ଲାରେ ମାଓବାଦୀଙ୍କ ପ୍ରାଦୁର୍ଭାବ କମିବାରେ ଲାଗିଛି । ଲୋକେ ଲାଲବାହିନୀର ହାତ ଛାଡି ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାମିଲ ହେଉଛନ୍ତି । ସୁରକ୍ଷା ବାହିନୀର କୋମ୍ବିଂ ଅପରେସନ ଯୋଗୁଁ ସମର୍ଥକମାନେ ମାଓବାଦୀଙ୍କୁ ସମର୍ଥନ ଦେବାକୁ ପଛଘୁଞ୍ଚା ଦେଉଛନ୍ତି । ଇତି ମଧ୍ୟରେ ଗତ ଜୁନ୍‌ ମାସରେ ୫୦ ଜଣ ମାଓବାଦୀ ସମର୍ଥକ ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ସେହି ମାସରେ ପୁଣି ୩୪୭ ଜଣ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ । ସେହିପରି ଜୁଲାଇରେ ୫୫୦ ମାଓବାଦୀ ସମର୍ଥକ ଜାନବାଇ ବିଏସ୍‌ଏଫ୍‌ କ୍ୟାମ୍ପରେ ଆତ୍ମସମର୍ପଣ କରିଥିଲେ । ଶନିବାର ୭ଶହ ଜଣ ଆତ୍ମସମର୍ପଣ କରିବା ମାଓବାଦୀ ସଙ୍ଗଠନକୁ ବଡ ଧକ୍କା ଦେଇଛି । ଏହି ଅବସରରେ ପୋଲିସ ଓ ବିଏସ୍‌ଏଫ୍‌ ପକ୍ଷରୁ ଗ୍ରାମବାସୀଙ୍କୁ ଶାଢି, ଧୋତି, ଗାମୁଛା, କ୍ରୀଡା ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ସମୟରେ ଶତାଧିକ ମହିଳା ପୁରୁଷ ମାଓବାଦୀ ସମର୍ଥକ ମାଓବାଦୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । ମାଓବାଦୀ ମୁର୍ଦ୍ଦାବାଦ, ଆମ ସରକାର ଜିନ୍ଦାବାଦ ଧ୍ୱନିରେ ବଣ୍ଡାଘାଟି ମୁଖରିତ ହୋଇଥିଲା । କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ, ବିଏସ୍‌ଏଫ୍‌ ଡିଆଇଜି ମଦନ ଲାଲ, ମାଲକାନଗିରି ଏସ୍‌ପି ନୀତୀଶ୍‌ ୱାଧ୍ୱାନୀଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × four =