ଦୟନୀୟ ଅବସ୍ଥାରେ ଗଞ୍ଜାମ ଏନ୍‌ଏସିର ରୋଡ଼୍‌ କାମ : ସାଧାରଣରେ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସିର ନିର୍ମାଣାଧୀନ ରାସ୍ତା କାମ ଅବସ୍ଥା ଶୋଚନୀୟ ହୋଇଥିବା ବେଳେ ନାମକୁ ମାତ୍ର ଉନ୍ନତିମୂଳକ କାର୍ଯ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସୂଚନା ଅନୁସାରେ ୧୦୦ ଫୁଟ୍‌ ରୋଡ଼୍‌ କାମ ପାଇଁ ଆଜକୁ ୧୫୦ ଦିନରୁ ଅଧିକ ହେଲାଣି କାମ ସରିବା ନା ନେଉନାହିଁ । ଗଞ୍ଜାମ ବଜାରରୁ ଆଖଡ଼ାବନ୍ଧ ସାହିକୁ ସଂଯୋଗ କରୁଥିବା ରାସ୍ତା ଦୟନୀୟ ଅବସ୍ଥାରେ ରହିଥିବାରୁ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ଉକ୍ତ ରାସ୍ତା କାମ ପାଇଁ ଠିକାଦାରଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ଠିକାଦାର ଜଣକ ଉକ୍ତ କାମକୁ ହେୟଜ୍ଞାନ କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି । ବର୍ଷା ଯୋଗୁଁ ରାସ୍ତା ୧ ଫଟରୁ ଅଧିକ ଜଳମଗ୍ନ ହୋଇଯାଏ । ଫଳରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଆଗକୁ ବର୍ଷା ଦିନ ଆସୁଛି । ସାଧାରଣ ଲୋକଙ୍କ ଆକ୍ରୋଶ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଠିକାଦାରଙ୍କୁ କହି ପାଣି ରହିବା ଜାଗାରେ ବାଲି ପକାଗଲା । ପୁଣି କାମ ବନ୍ଦ ହେବାରୁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କଲା ପରେ ବାଲିରେ ଅଧା ରାସ୍ତା ମେଟାଲ ପକାଯାଇ ପୁଣି ୧୫ ଦିନରୁ ଅଧିକ ହେଲାଣି କାର୍ଯ୍ୟ ବନ୍ଦ ରହିଛି । ଠିକାଦାର କାହାରି କଥାକୁ ମାନୁନଥିବା ସାହି ବାସିନ୍ଦା ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏମିତି ଠିକାଦାରଙ୍କ କାମକୁ କନିଷ୍ଠ ଯନ୍ତ୍ରୀ ଘଟଣା ସ୍ଥଳରେ ପହଂଚି କାହିଁକି ତଦାରଖ କରୁନାହାନ୍ତି ବୋଲି ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି ।

Leave A Reply

Your email address will not be published.

one × 4 =