pakka

ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ୱାଇ.ଏମ୍‌.ଏଫ.ଆଇ ଏବଂ ଏସ୍‌. ପି. ସି. ବିର ମିଳିତ ଆନୁକୂଲ୍ୟରେ ପରିବେଶ ସଂକ୍ରାନ୍ତୀୟ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାର ବିଷୟବସ୍ତୁ ‘ଜମି ପୁନଃରୁଧାର, ମରୁଭୂମି ଓ ମରୁଡି ସ୍ଥିରତା’ ରଖାଯାଇଥିଲା । ଗତ ୨୦୦୦ ମସିହା ପରଠାରୁ ବିଶ୍ୱରେ ମରୁଡି ପରିମାଣ ବୃଦ୍ଧି ପାଇ ଚାଲିଛି । ଦିନକୁ ଦିନ ତାପମାତ୍ରା ବୃଦ୍ଧି ସହ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ବେଳହୁଁ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଗଲେ ଆଗାମୀ ଦିନରେ ଅବସ୍ଥା ଉତ୍କଟ ହେବ । ଜଳବାୟୁ ଅନିୟମିତତା ବୃଦ୍ଧି ପାଇବ । ବନ୍ୟା, ବାତ୍ୟା, ସୁନାମି, ଭୂମିକମ୍ପ ପ୍ରଭୃତି ମାଧ୍ୟମରେ ପ୍ରକୃତି ତାର କରାଳ ରୂପ ପ୍ରକଟ କରିବ, ଯାହାକି ମନୁଷ୍ୟ ଓ ପ୍ରାଣୀ ପ୍ରତି ବିପଦ ସୃଷ୍ଟି କରିବ । ଏଣୁ ଏସମ୍ପର୍କରେ ପିଲାଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି ସହ ସଚେତନତା ଜାଗ୍ରତ ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା । ଏସ୍‌.ପି.ସି.ବି ରାଉରକେଲାର ଆଞ୍ଚଳିକ ଅଧିକାରୀ ତଥା ବରିଷ୍ଠ ପରିବେଶ ବୈଜ୍ଞାନିକ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ନିଜ ଅନ୍ତର୍ନିହିତ କଳା ଓ ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ । ଭାରତ ସରକାରଙ୍କ ମିଶନ ଲାଇଫ୍‌ ଯୋଜନାରେ ନିଜ ନିଜ ଦୈନନ୍ଦିନ ଜୀବନରେ ପରିବେଶ ଆଧାରିତ ଜୀବନ ଶୈଳୀ ଆପଣାଇବା ଓ ପରିବେଶର ସୁରକ୍ଷା ପାଇଁ ଅନ୍ୟମାନଙ୍କୁ ପ୍ରବାର୍ତ୍ତାଇବାକୁ ଉପସ୍ଥିତ ଅତିଥି, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଶପଥ ପାଠ କରିଥିଲେ । ଏଥିରେ ବିଭାଗୀୟ ଉପପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ଓ ଆର୍‌. ଆର୍‌. ଦାସଙ୍କ ସମେତ ସହକାରୀ ପରିବେଶ ଯନ୍ତ୍ରୀ ପ୍ରିତମ କୁମାର ପତି, ସହକାରୀ ପରିବେଶ ବିଜ୍ଞାନୀ ସୌମ୍ୟରଞ୍ଜନ ପ୍ରଧାନ ଓ ପ୍ରଜ୍ଞାଜ୍ୟୋତି ସେନାପତି, ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଜଳଧର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ୱାଇ.ଏମ୍‌.ଏଫ.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷୟିତ୍ରୀ ସରିତା ନାୟକ, ପ୍ରମିଳା ରାଉତ, ପ୍ରତୀକ୍ଷା ମିତ୍ର, ସୁନିତା ମହନ୍ତ, ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା ପ୍ରମୁଖ ପ୍ରତିଯୋଗିତାର ବିଚାରକ ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍ୱେଛାସେବୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × four =