pakka

ବ୍ଲକସ୍ତରୀୟ ଗଣ୍ଡାବଜା ମହୋତ୍ସବ ଅନୁଷ୍ଠିତ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କୁତୁମୁଣ୍ଡା ଗ୍ରାମରେ ମୁହୁରି କଳା ପରିଷଦ ଦ୍ୱାରା ଆୟୋଜିତ ଗଣ୍ଡାବଜା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ହିମାଂଶୁ କୁମ୍ଭାରଙ୍କ ଆବାହନରେ ଅନୁଷ୍ଠିତ ସଭାରେ ଜୟନ୍ତ କୁମ୍ଭାର ସଭାପତିତ୍ୱ କରିଥିଲେ । ପ୍ରଥମେ ଅଧ୍ୟାପକ ସନ୍ତୋଷ କୁମାର ରାଉତ ସ୍ଵାଗତ ଭାଷଣ ଦେଇଥିବାବେଳେ ମୁଖ୍ୟ ଅତିଥିଭାବେ ପାଟଣାଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ସୁନା ଯୋଗଦେଇ ଗଣ୍ଡାବଜା ଓ କଳାକାର ବଞ୍ଚିବାକୁ ହେଲେ ସରକାରଙ୍କ ସାହାଯ୍ୟ ଓ ସହଯୋଗ ନିତାନ୍ତ ଆବଶ୍ୟକ ଓ ଏହି ବଜାକୁ ଆଧୁନିକ ବାଦ୍ୟ ଧୀରେ ଧୀରେ ଗ୍ରାସ କରିଦେଉଥିବାରୁ ଏହାକୁ ବଞ୍ଚେଇ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଗବେଷକ ସୁରେନ୍ଦ୍ର ସାହୁ ଯୋଗଦେଇ ଗଣ୍ଡାବଜା ମୌଳିକତା ଠାରୁ ଦୂରେଇ ନଯାଉ ଏବଂ ଜନ୍ମ ଠାରୁ ମୃତ୍ୟୁ, ସମସ୍ତ ଦେବଦେବୀ ପୂଜାରେ ଆବଶ୍ୟକତା ପଡ଼ିଥିବା ହେତୁ ଏହାର କଳାକାରମାନଙ୍କୁ ଉଚିତ୍ ସମ୍ମାନ ମିଳିବା କଥା ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଗବେଷକ ରମେଶ ଗୁର୍ଲ୍ଲା, ଲକ୍ଷେ ଘର୍ ଗଣ୍ଡା ସମାଜର ସଭାପତି ଦିଗସନ୍ ନନ୍ଦ, ଗୌନ୍ତିଆ ନରେନ୍ଦ୍ର ମେହେର, ସମାଜସେବୀ ତେଜରାଜ୍ ମେହେର, ଉପଦେଷ୍ଟା ହିରାଧର କୁମ୍ଭାର, ପୁନିତରାମ କୁମ୍ଭାର, କଳାକାର ମନୋଜ ବାଗ ଯୋଗଦେଇ ଗଣ୍ଡାବଜା ଉପରେ ନିଜ ନିଜ ମତ ରଖିଥିଲେ । ଏହି ଉତ୍ସବରେ ପ୍ରାୟ ପନ୍ଦର ଟି ଗଣ୍ଡାବଜା ଦଳ ଯୋଗଦେଇ ନିଜର କଳା ପ୍ରଦର୍ଶନ କରିଥିଲେ ଏବଂ ସମସ୍ତ କଳାକାରମାନଙ୍କୁ ପ୍ରଶଂସାପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଯୁବକବି ଅର୍ଜୁନ କୁମାର ସାହୁ ସଂଯୋଜନା କରିଥିବା ବେଳେ ଗାଳ୍ପିକ ମୂରଲୀଧର ଶିକା ଧନ୍ୟବାଦ୍ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ କ୍ଷୁଧାଂଶୁ ଶେଖର କୁମ୍ଭାର, ସମ୍ପାଦକ ଭେଲାରାମ କୁମ୍ଭାର ଓ କୁତମୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

four × five =