jayashree

ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ସାଇକେଲ ରାଲି ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମର ତୃତୀୟ ଦିବସରେ ଏକ ବିଶାଳ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ ବାହାରିଥିବା ଏହି ରାଲି ସହରର ପ୍ରମୁଖ ରାସ୍ତା ଦେଇ ଲିଟଲ୍ ଫ୍ଲାୱାର୍ ସ୍କୁଲ୍‌ ପର୍ଯ୍ୟନ୍ତ ଯାଇ ପୁନର୍ବାର କଳାମଣ୍ଡଳ ପଡ଼ିଆରେ ଆସି ପହଞ୍ଚିଥିଲା । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଏହି ସାଇକେଲ ରାଲିର ଶୁଭାରମ୍ଭ କରିଥିଲେ । ​ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ଏବଂ ଜିଲ୍ଲା କ୍ରୀଡ଼ା ସଂସଦର ଫୁଟବଲ୍ ସମ୍ପାଦକ ଶରତ କୁମାର ନନ୍ଦ ଉପସ୍ଥିତ ରହି ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ । ସ୍ୱାସ୍ଥ୍ୟ ଓ ଶାରୀରିକ ଫିଟନେସ୍‌ ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ରାଲିରେ ସହରର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ, ବହୁ କ୍ରୀଡ଼ାବିତ୍ ଏବଂ ଜିଲ୍ଲା ମାରାଥନ୍ ସଂଘର କର୍ମକର୍ତ୍ତାମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ପରାଶର ବାଗ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

Leave A Reply

Your email address will not be published.