jayashree

ସାଲେଭଟା ମା’ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ପାଇଁ ପ୍ରସ୍ତୁତି : ସୌନ୍ଦର୍ଯ୍ୟକରଣକୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପ୍ରସ୍ତାବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟାର ଐତିହାସିକ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ମନ୍ଦିରରେ ବଏଲ ଯାତ୍ରାକୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି । ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଡିପିଆର ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଦିଆଯାଇଛି । ପ୍ରାୟ ୧୫୦୦ ଖ୍ରୀଷ୍ଟାବ୍ଦର ଏହି ପ୍ରାଚୀନ ମନ୍ଦିରରେ ଗୋଟିଏ ଗମ୍ଭୀରାରେ ଦୁଇ ଭଉଣୀ ମା’ ପାଟଣେଶ୍ୱରୀ ଓ ମା’ ସମଲେଶ୍ୱରୀ ପୂଜା ପାଉଛନ୍ତି । ଐତିହାସିକ ମାନ୍ୟତା ଅନୁଯାୟୀ, ରାଜା ବଳରାମ ଦେଓଙ୍କ ସମୟରେ ଏହି ପୀଠର ସ୍ଥାପନା ହୋଇଥିଲା । ଦଶହରା ଓ ଚୈତ୍ର ପର୍ବରେ ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ମନ୍ଦିର କମିଟିର ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ୧୮ ତାରିଖ ସନ୍ଧ୍ୟାରେ ମା’ ପାଟଣେଶ୍ୱରୀଙ୍କ ବଏଲ ଯାତ୍ରା ନଗର ପରିକ୍ରମା କରିବ । ୧୯ ତାରିଖରେ ମା’ ମନ୍ଦିରକୁ ପ୍ରବେଶ କରିବା ସହ ଭକ୍ତମାନଙ୍କୁ ଦର୍ଶନ ଦେବେ ।
ଅନ୍ୟପଟେ ନବରାତ୍ର ପୂଜା ଅବସରରେ ମା’ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପ୍ରତିଦିନ ହୋମଯଜ୍ଞ, ଚଣ୍ଡୀପାଠ ଓ ସନ୍ଧ୍ୟାରେ ମହାଆଳତି ଅନୁଷ୍ଠିତ ହେଉଛି । ଘଣ୍ଟବାଦ୍ୟ ଓ ଦୁଲଦୁଲିର ଧ୍ୱନିରେ ପୀଠ ଭକ୍ତିମୟ ହୋଇଉଠୁଥିବା ବେଳେ ଆଖପାଖ ଗାଁରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଛି । ଚଣ୍ଡୀପାଠରେ ପଣ୍ଡିତ କବିରାଜ ମିଶ୍ରଙ୍କ ସହ ମନ୍ଦିରର ପୂଜକ ପ୍ରକାଶ ଦିସ୍ରୀ ସହଯୋଗ କରୁଛନ୍ତି । ଏଥର ମନ୍ଦିରରେ ନୂତନ ଗମ୍ବୁଜ ନିର୍ମାଣ ପାଇଁ ଭୂମିପୂଜନ ସହ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରହିଛି । ପ୍ରସ୍ତାବିତ ନିର୍ମାଣରେ ପାଟଣାଗଡ଼ର ମା’ ପାଟଣେଶ୍ୱରୀ, ସମ୍ବଲପୁରର ମା’ ସମଲେଶ୍ୱରୀ ଓ କଳାହାଣ୍ଡିର ମା’ ମାଣିକେଶ୍ୱରୀଙ୍କ ମନ୍ଦିରର ସ୍ଥାପତ୍ୟକୁ ସ୍ଥାନ ଦେବାର ଯୋଜନା ରହିଛି । ଏହି ପ୍ରକଳ୍ପ ମାଧ୍ୟମରେ ଐତିହାସିକ ପୀଠର ମର୍ଯ୍ୟାଦା ବୃଦ୍ଧି ସହ ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ହୋଇପାରିବ ବୋଲି ମନ୍ଦିର କମିଟି ଆଶା ପ୍ରକାଶ କରିଛି ।

Leave A Reply

Your email address will not be published.