jayashree

ଦାଦନ ରୋକିବାକୁ ଗାଁରେ କାମ ଦାବି, ବିଡିଓଙ୍କୁ ଘେରିଲେ ଶ୍ରମିକ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଦାଦନ ପ୍ରବଣ ବେଲପଡ଼ା ବ୍ଲକରେ ଶ୍ରମିକଙ୍କୁ ମିଳୁନି ପର୍ଯ୍ୟାପ୍ତ କାମ । ଫଳରେ ଜୀବିକା ନିର୍ବାହ ପାଇଁ ପୁଣି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାର ଆଶଙ୍କା ବଢ଼ିଛି । ଏଭଳି ସ୍ଥିତିରେ ଭି.ବି.ଜି. ରାମଜୀ ଯୋଜନାରେ ବର୍ଷକୁ ୩୦୦ ଦିନର କାମ, ନିୟମିତ ମଜୁରୀ ପ୍ରଦାନ ସମେତ ପାଞ୍ଚ ଦଫା ଦାବି ନେଇ ବେଲପଡ଼ା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ତିନି ପଞ୍ଚାୟତର ଶ୍ରମିକ । ବେଲପଡ଼ା ବ୍ଲକର କନ୍ଧେନଝୁଲା, ଗମ୍ଭାରୀ ଓ ଦରଳିପାଲି ପଞ୍ଚାୟତର ଶ୍ରମିକମାନେ ଏକାଠି ହୋଇ ବ୍ଲକ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବିଡିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିଭିନ୍ନ ନାରାବାଜି ଦେବା ସହ ନିଜର ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ । ଶ୍ରମିକଙ୍କ ଅଭିଯୋଗ ଅନୁଯାୟୀ, କାମ କରିବା ପରେ ମଧ୍ୟ ଠିକ୍ ସମୟରେ ମଜୁରୀ ମିଳୁନାହିଁ । ଅନ୍ୟପଟେ କେତେକ ଗ୍ରାମରେ ଯୋଜନା ଅନ୍ତର୍ଗତ କାର୍ଯ୍ୟ ବନ୍ଦ ରହିଥିବାରୁ ଶ୍ରମିକମାନେ ରୋଜଗାର ହରାଉଛନ୍ତି । ଏହାସହ ଅନେକ ଶ୍ରମିକଙ୍କ ବକେୟା ମଜୁରୀ ପ୍ରଦାନ ଓ କଟିଯାଇଥିବା ଜବ୍‌କାର୍ଡ ପୁନଃ ସଂଯୋଗ କରିବାକୁ ଦାବି ହୋଇଛି । ସଂଗଠନ ପକ୍ଷରୁ ବର୍ଷକୁ ୩୦୦ ଦିନର କାମ ଯୋଗାଇବା, ସାପ୍ତାହିକ ଭିତ୍ତିରେ ମଜୁରୀ ପ୍ରଦାନ, ବନ୍ଦ ଥିବା କାର୍ଯ୍ୟ ତୁରନ୍ତ ଆରମ୍ଭ, ବକେୟା ମଜୁରୀ ପରିଶୋଧ ଏବଂ ଜବ୍‌କାର୍ଡ ପୁନଃ ସଂଯୋଗ କରିବା ଭଳି ପାଞ୍ଚଟି ଦାବି ରଖାଯାଇଛି । ଗାଁରେ ନିୟମିତ କାମ ମିଳିଲେ ଶ୍ରମିକମାନେ ନିଜ ପରିବାର ସହ ରହି ଜୀବିକା ନିର୍ବାହ କରିପାରିବେ ଏବଂ ଦାଦନ ସମସ୍ୟା ହ୍ରାସ ପାଇବ ବୋଲି ସଂଗଠନ କହିଛି । ଅନ୍ୟପଟେ, ବେଲପଡ଼ା ବିଡିଓ ଦାବିପତ୍ର ଗ୍ରହଣ କରି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.