ସିହିନି ଗ୍ରାମରେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସିହିନି ଗ୍ରାମରେ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଲୋଚନା ହୋଇଥିଲା ଯେ, ରାଜନୈତିକ ଦୃଷ୍ଟି କୋଣରୁ ଆଜିର ଦିନରେ ଓବିସି ବର୍ଗର ଲୋକଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ସମସ୍ତ ରାଜନୈତିକ ଦଳରେ କିଛି ନା କିଛି ଓବିସି ବର୍ଗର ନେତୃତ୍ୱ ଦେଖିବାକୁ ମିଳେ । କିନ୍ତୁ ଏହି ବର୍ଗର ଲୋକ ବିଭିନ୍ନ ସ୍ଥାନରେ ଅବହେଳାର ଶିକାର ହେଉଛନ୍ତି । କେନ୍ଦ୍ର ସରକାର ୨୭ ପ୍ରତିଶତ ସଂରକ୍ଷଣ ରଖିଥିବା ବେଳେ ରାଜ୍ୟରେ ତାହା ଫଳପ୍ରଦ ହେଉନି, ଯଦ୍ୱାରା ଏହି ବର୍ଗର ଲୋକେ ଉପକୃତ ହୋଇ ପାରୁ ନାହାନ୍ତି ବୋଲି ମତ ପ୍ରକାଶ ପାଇଛି । ରାଜନୀତିରେ ମଧ୍ୟ ଏହି ବର୍ଗର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଯଦି ଓବିସି ବର୍ଗର ଲୋକ ଏକ ହୋଇଯିବେ ତା’ହେଲେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ସମସ୍ତେ ଏକଜୁଟ ହେବା ପାଇଁ ରବିବାର ଦିନ ଟିଟିଲାଗଡ ବ୍ଲକ ଓବିସି ମଞ୍ଚର ଆବାହକ ମନୋଜ ହାତୀଙ୍କ ସଂଯୋଜନାରେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଗ୍ରାମରେ ଓବିସି ମଞ୍ଚର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାରେ ସଭାପତିତ୍ୱ କରିଥିଲେ ତୁଳସୀରାମ ସାହୁ । ଏହି ବୈଠକରେ ସଂଗଠନକୁ କିପରି ଆହୁରି ମଜବୁତ କରାଯିବ ସେ ନେଇ ସମସ୍ତେ ମତ ପୋଷଣ କରିଥିଲେ । ସରକାରଙ୍କ ଦ୍ୱାରା କରାଯାଉଥିବା ଓବିସି ସର୍ଭେରେ ସମସ୍ତ ପରିବାର ନିଜ ନିଜର ପଞ୍ଜୀକରଣ କିପରି କରିପାରିବେ ସେ ଦିଗରେ ସମସ୍ତେ ସହଯୋଗ କରିବାକୁ କୁହାଯିବା ସହ ଫର୍ମ ମିଳୁ ନଥିବା କିଛି ସଦସ୍ୟ ଅଭିଯୋଗ କରିଥିଲେ । ସେହିଭଳି ଆରକ୍ଷଣ ମିଳିଲେ କ’ଣ କ’ଣ ସୁବିଧା ମିଳିବା କଥା ସେ ଉପରେ ମତ ରଖିଥିଲେ ମଞ୍ଚର କୋର କମିଟି ସଦସ୍ୟ ଘିନୁ ଆଡଯୁଆଡ, ବାଳକୃଷ୍ଣ ଷାଣ୍ଢ, ଟିକେଲାଲ ବେହେରା, ଅଭୟ ସାହୁ, ଦେବାନନ୍ଦ ସାହୁ, ଲଲିତ ସାହୁ, ବୀରବର ସାହୁ, ଦିଲୀପ ବିଶି, କୁନା ଭାଟି, କୃଷ୍ଣ ହାତୀ, ସଞ୍ଜୀବ ସାହୁ, ଆଶିଷ ସାହୁ, ଜୟନ୍ତ ବଗର୍ତ୍ତୀ, ଦୟା ଚନ୍ଦନ, କାର୍ତ୍ତିକ ଛତର, ଝସକେତନ ଛତର । ଆସନ୍ତା ମଙ୍ଗଳବାର ଦିନ ଏହି ଆଲୋଚନା ହୋଇଥିବା ବିଷୟ ଉପରେ ଏକ ଦାବୀପତ୍ର ରାଜ୍ୟପାଳଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ସର୍ବ ସମ୍ମତିକ୍ରମେ ମତ ପ୍ରକାଶ ପାଇଛି ।

ଏହି ବୈଠକରେ ଜୀବର୍ଦ୍ଧନ ଖର୍ସେଲ, ପ୍ରମୋଦ ସାହୁ, ବୃନ୍ଦାବନ ରଣା, ବିଷ୍ଣୁ ବାଗ, ଅମିନ ହେର୍ଣା, ସୁଧୀର ଘଡାଇ, ସୁରେନ୍ଦ୍ର ପୋଡ଼, ଶକ୍ତି ବାଗ, ଗଜେନ୍ଦ୍ର ଛତର, ଜିତେନ୍ଦ୍ର ଖର୍ସେଲ, ଫକୀର ବାଗ, ହିତେଶ ନାଗ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − nineteen =