ନରସିଂହଙ୍କ ପ୍ରସ୍ତାବିତ ବିଭିନ୍ନ ଗ୍ରାମ୍ୟ ରାସ୍ତା ହେଲା ଅନୁମୋଦନ

  • ଉନ୍ନତ ଗମନା ଗମନ ଲୋକଙ୍କ ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ – ବିଧାୟକ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ପ୍ରସ୍ତାବିତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଅନୁମୋଦନ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ନିଜ ନିର୍ବାଚନ ମଣ୍ଡଳୀରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରାୟତଃ ବିଭିନ୍ନ ପଂଚାୟତ ଓ ଗାଁ ବୁଲି ଲୋକଙ୍କ ସମସ୍ୟା ଶୁଣିଥାନ୍ତି । ଲୋକଙ୍କ ସମସ୍ୟା ଶୁଣିବା ପରେ ସେ ତତ୍ପରତା ସହ ବିଭାଗର ସମସ୍ୟାଗୁଡିକୁ ଉଚ୍ଚ ଅଧିକାରୀମାନଙ୍କ ସହ ଆଲୋଚନା କରି ଲୋକଙ୍କ ସମସ୍ୟା ଯେପରି ସମାଧାନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେଇଥାନ୍ତି । ଏହି କ୍ରମରେ ସେ ନିଜ ନିର୍ବାଚନ ମଣ୍ଡଳୀର ଉଭୟ ବ୍ଲକରେ ବିଭିନ୍ନ ପଂଚାୟତ ବୁଲିବା ବେଳେ ସେଠାକାର ରାସ୍ତାର ଦୂରାବସ୍ଥା ବିଷୟରେ ଲୋକଙ୍କ ଠାରୁ ଅଭିଯୋଗ ଶୁଣିଥିଲେ ଏବଂ ସେହି ଗାଁ ତଥା ପଂଚାୟତ ରାସ୍ତାଗୁଡିକର ଉନ୍ନତିକରଣ ଓ ନିର୍ମାଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଲୋକମାନଙ୍କୁ ପ୍ରତିଶୃତି ଦେଇଥିଲେ । ସେହି କ୍ରମରେ ଆଜି ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ୫୦ରୁ ଅଧିକ କି.ମି. ଗ୍ରାମ୍ୟ ରାସ୍ତାଗୁଡିକ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ହସ୍ତାନ୍ତର ଓ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ପାଇ ସାରିଛି । ସେ ରାସ୍ତା ଗୁଡିକ ହେଲା ମହଲେଇରୁ ବଗଡା ଉଚ୍ଚ ବିଦ୍ୟାଳୟ ଦେଇ ବାବିଯୋଗ, କୁଲିଆବାହାଲ ପଂଚାୟତ ସମିତି ରାସ୍ତା ୮ କିମି, ଲୁହାଖାନରୁ ଦେଷଣ୍ଢ ପୁର୍ତ୍ତ ବିଭାଗ ଛକ ଦେଇ କୁଗ୍ରିମହୁଲ ୭.୫ କିମି ପଂଚାୟତ ରାସ୍ତା, ସାଗରପାଲି ଦେଓଗାଁ ରେଲୱେ ଷ୍ଟେସନ ଦେଇ ଚନ୍ଦ୍ରପୁରରୁ ଜରାସିଂହା ପର୍ଯ୍ୟନ୍ତ ୬ କିମି, ବଲାରପାଲି ଛକରୁ ଭୀମଡୁଙ୍ଗୁରି କୁଦେଇମାଲ, ବନ୍ଧପାଲି ଏବଂ ଥାଳବନ୍ଧ ପଂଚାୟତ ସମିତି ରାସ୍ତା ପର୍ଯ୍ୟନ୍ତ ୭ କିମି, ପୁର୍ତ୍ତ ବିଭାଗ ମାଲପଡା ଛକରୁ କେନ୍ଦୁଘାଟ ଦେଇ ବଡବାହାଲ ରେଙ୍ଗାଲପଡା ପଂଚାୟତ ସମିତି ରାସ୍ତା ୭ କିମି, ଜାତୀୟ ରାଜପଥ ୨୦୧ରୁ ବରକାନି ଖରସେଲଡୁଙ୍ଗୁରି ଦେଇ ଝାରମୁଣ୍ଡା ଏବଂ ଉଡାର ପର୍ଯ୍ୟନ୍ତ ୭ କିମି, ପୁର୍ତ୍ତ ବିଭାଗ ରାସ୍ତାରୁ ଚାନ୍ଦଲିପାହାଡ ୫ କିମି, କୁଡାସିଂହା ସିରସ ଠାରୁ କୁତୁର୍ଲ୍ଲା ପର୍ଯ୍ୟନ୍ତ ୫ କିମି, ଗୌରଗୋଢ ଦେଇ ରତାଖଣ୍ଡି ଏବଂ କୁଲିଆବାହାଲ ବର୍ଲା ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ପାଇଛି । ଏହି ଅନୁମୋଦନ ପରେ ଏ ସମସ୍ତ ଅଂଚଳରେ ଦାବୀ ମୁତାବକ ଲୋକମାନଙ୍କର ଆଶା ପୁରଣ ହୋଇଥିବାରୁ ସେ ଅଂଚଳର ଲୋକେ ଏ ରାସ୍ତା ଗୁଡିକରୁ ନିଜର ଅର୍ଥନୈତିକ ବିକାଶ କରିପାରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ଜରାସିଂହାଠାରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ କହିଥିଲେ । ଗତକାଲି ବିଧାୟକ ଶ୍ରୀ ମିଶ୍ର ନିଜର ଜରାସିଂହା ଗସ୍ତ ସମୟରେ ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଗୁଡିକ ଯଥା ପଥେଇ ଦୁର୍ଗା ମଣ୍ଡପ, ଶାନ୍ତିପଡା କ୍ଲବ ଉନ୍ନତିକରଣର ଉଦ୍‌ଘାଟନ ଅବସରରେ ଲୋକମାନଙ୍କୁ ଏ ସମସ୍ତ ରାସ୍ତା ଗୁଡିକ ନିର୍ମାଣ ପାଇଁ ଅନୁମୋଦନ ଆସିଯାଇଥିବା ସୂଚନା ଦେଇଥିଲେ । ଜରାସିଂହା ଗସ୍ତ ସମୟରେ ବିଧାୟକଙ୍କ ସହ ଦୁର୍ଗା ପ୍ରସାଦ ସିଂଦେଓ, ଅମିତ ତ୍ରିପାଠୀ, ନରସିଂହ ଦଣ୍ଡସେନା, ଦୁର୍ଯ୍ୟୋଧନ ମେହେର, କରୁଣା ମେହେର, ଅଂଶୁମାନ କର୍ତ୍ତି, ପ୍ରମୋଦ ସିଂ ନିନା, ଅନ୍ତ ବେହେରା, ବୃନ୍ଦାବନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × two =