ବିଟ୍ଟୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବୀରେ ଥାନା ଘେରିଲେ ଗେଟ୍‌ସରୋବରପଡ଼ାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଟ୍ଟୁ ଓରଫ୍‌ ସରୋଜ ପାଣିଗ୍ରାହୀଙ୍କ ହତ୍ୟାକାରୀମାନଙ୍କୁ ଗିରଫ୍‌ କରିବା ସହ ବଲାଙ୍ଗିର ସହରରେ ବେଆଇନ କଫ୍‌ ସିରପ୍‌ ତଥା ନିଶା କାରବାର ବନ୍ଦ କରିବା ଦାବୀରେ ଆଜି ଗେଟ୍‌ସରୋବରପଡ଼ାର ଜନସାଧାରଣ ବଲାଙ୍ଗିର ଟାଉନ୍‌ ଥାନା ଘେରାଓ କରିଥିବା ଦେଖିବାକୁ ମିଳିଛି । ସହରର ନରସିଂହ ମନ୍ଦିର ଗଳିରେ ୨୩ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗେଟ୍‌ସରୋବରପଡ଼ାର ବିଟ୍ଟୁ ଓ ତାଙ୍କ ସାଂଗ କନ୍ଧପାଲିପଡାର ପ୍ରେମ ସାହୁଙ୍କୁ ନୃଶଂସ ଭାବେ ଛୁରାମାଡ଼ କରିଥିବା ବେଳେ ଘଟଣାରେ ବିଟ୍ଟୁଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଭାବେ ଆହତ ହୋଇଥିଲେ କନ୍ଧପାଲିପଡାର ପ୍ରେମ ସାହୁ । ଏହି ଅମାନୁଷିକ ଘଟଣାର ସିସିଟିଭି ଫୁଟେଜ୍‌ ସୋସିଆଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଅପରାଧୀମାନଙ୍କୁ ପୋଲିସ ଗିରଫ୍‌ କରି ପାରିନଥିବାରୁ ଗେଟ୍‌ସରୋବରପଡ଼ାର ଜନସାଧାରଣ ଟାଉନ୍‌ ଥାନା ଘେରାଓ କରିଥିବା ଜଣାପଡ଼ିଛି । ତେବେ ସହରରେ ବେଧଡ଼କ୍‌ ବେଆଇନ କଫ୍‌ ସିରପ୍‌ କାରବାର ଯୋଗୁଁ ଅପରାଧ ବଢ଼ୁଥିବା ବେଳେ ଏଥିପ୍ରତି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅପରାଧୀଙ୍କୁ ଗିରଫ୍‌ କରିବା ପାଇଁ ଗେଟ୍‌ସରୋବରପଡ଼ାବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.

one × three =