pakka

କେନ୍ଦୁପତ୍ର ତୋଳାଳୀ, ଶ୍ରମିକ, ସିଜିନାଲ କର୍ମଚାରୀଙ୍କ ହକ୍‌ର ଆନ୍ଦୋଳନ ପାଇଁ ପ୍ରସ୍ତୁତି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ଗୁଛା କଟାଲି ଶ୍ରମିକ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକମାନଙ୍କ ହକ ପାଇଁ ଏକ ଜୋରଦାର ଆନ୍ଦୋଳନ ପାଇଁ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ ନିଷ୍ପତ୍ତି ନେଇଛି । ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପଦ୍ମପୁର ଡିଭିଜନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡିଭିଜନ ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ପାଇକମାଲଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁପତ୍ର ସଂସ୍ଥା ବର୍ଷକୁ ୨ଶହ କୋଟି ଟଙ୍କା ଲାଭ ଦେଉଥିବା ବେଳେ ଓଡ଼ିଶା ସରକାର କେନ୍ଦୁପତ୍ର ଶ୍ରମିକମାନଙ୍କୁ ବାରମ୍ବାର ପ୍ରତାରିତ କରୁଥିବା ନେଇ ବୈଠକରେ ସଂଘର ନେତାମାନେ ମତ ଦେଇଥିଲେ । ଛତିଶଗଡ, ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ଅନ୍ୟାନ୍ୟ ରାଜ୍ୟ ସରକାର କେନ୍ଦୁପତ୍ର ଲାଭାଂଶର ଶତ ପ୍ରତିଶତ ବୋନସ ଶ୍ରମିକମାନଙ୍କୁ ଦେଉଥିବା ବେଳେ ଓଡ଼ିଶା ସରକାର ପ୍ରତି କେନ୍ଦୁପତ୍ର ତୋଳାଳୀମାନଙ୍କୁ ନିର୍ବାଚନ ପାଇଁ ୨ ହଜାର ଟଙ୍କା ଓ ସିଜିନାଲ କର୍ମଚାରୀମାନଙ୍କୁ ୧୫ ଶହ ଟଙ୍କା ଦେଇ ଠକି ଦେଇଥିବା କଥା ଅନେକ ନେତା ପ୍ରକାଶ କରିବା ସହ କେନ୍ଦୁପତ୍ର ତୋଳାଳୀମାନଙ୍କୁ ଛାତ୍ର ବୃତ୍ତି ଓ ବିବାହ ସହାୟତା ମଧ୍ୟ ଓଡ଼ିଶା ସରକାର ବନ୍ଦ କରି ଦେଇଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ୨୦୧୩ ରେଢାଖୋଲ ସମାବେଶରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନିଜେ କେନ୍ଦୁପତ୍ର ସଂସ୍ଥାରେ କାର୍ଯ୍ୟରତ ସିଜିନାଲ କର୍ମଚାରୀମାନଙ୍କ ପାଇଁ ଚାକିରି ସର୍ତ୍ତାବଳୀ ଲାଗୁ କରାଯିବ କଥା ଘୋଷଣା କରିଥିଲେ ମଧ୍ୟ ଏ ଯାଏିଁ ଏହା କାର୍ଯ୍ୟକାରୀ କରି ନଥିବାରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ପ୍ରତାରଣା କରୁଛନ୍ତି ବୋଲି କେନ୍ଦୁପତ୍ର ଶ୍ରମିକ ନେତା କୋକିଲ ସାହୁ ତାଙ୍କ ବକ୍ତବ୍ୟରେ ମତ ପ୍ରଦାନ କରିଥିଲେ । ଅନେକ ଆଲୋଚନା ବିଚାର ବିମର୍ଶ ପରେ ଆସନ୍ତା ଜୁଲାଇ ୩ ତାରିଖ ଦିନ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ହକ ଦାବୀ ହାସଲ ପାଇଁ ବିରାଟ ଜନ ବିକ୍ଷୋଭ କରିବା ପାଇଁ ସଂଘ ନିଷ୍ପତ୍ତି ଦେଇଛି । ଏହି ବୈଠକରେ ରୁଷଭ ପ୍ରଧାନ, ଚୁଡାମଣୀ ପାଣିଗ୍ରାହୀ, ମନୋହର ଗଉଡ, ମଧୁ ସାହୁ, ସୁରେଶ ପଣ୍ତା, ଚକାମନ ପ୍ରଧାନ, ରକ୍ମଣ ବଗର୍ତ୍ତି, ଘନଶ୍ୟାମ ଭୋଇ, ରକ୍ମଣମଣୀ ହୋତା, ଶ୍ୟାମ ଚନ୍ଦନ, ମାୟାରାମ ନାୟକ ଆଦି ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

4 + 1 =

error: Content is protected !!