
ସମ୍ବଲପୁର, (କେପିଏନ୍ଏସ୍) : ଆଜି ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚର ଆହ୍ୱାନରେ ଟିପିଡବ୍ଲୁଓଡିଏଲ୍ରେ ଚାଲୁଥିବା ବିଏ/ଆଉଟସୋର୍ସିଂ/ଠିକା କର୍ମଚାରୀ ଛଟେଇ ବିରୋଧରେ ବୁର୍ଲା ସ୍ଥିତ ଟିପିଡବ୍ଲୁଓଡିଏଲ୍ କର୍ପୋରେଟ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ରାଲି, ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ସଫଳତାର ସହିତ ସମ୍ପନ୍ନ ହୋଇଛି । ସକାଳରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଡିଭିଜନ, ସେକ୍ସନ ଓ ସର୍କଲରୁ ହଜାର ହଜାର ରେଗୁଲାର, ବିଏ, ଆଉଟସୋର୍ସିଂ, ଗ୍ରିଡ଼ ଓ ଠିକା କର୍ମଚାରୀମାନେ ବୁର୍ଲା ଷ୍ଟାଡିଅମ ଛକରେ ସମବେତ ହୋଇଥିଲେ । ସେଠାରୁ ଏକ ଶୃଙ୍ଖଳିତ ଓ ସଂଗ୍ରାମୀ ରାଲି ବାହାରି ଟିପିଡବ୍ଲୁଓଡିଏଲ୍ କର୍ପୋରେଟ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ବିକ୍ଷୋଭ ସଭାରେ ବକ୍ତାମାନେ କହିଥିଲେ ଯେ, ବର୍ଷ ବର୍ଷ ଧରି ଟିପିଡବ୍ଲୁଓଡିଏଲ୍ରେ କାର୍ଯ୍ୟ କରୁଥିବା ବିଏ, ଆଉଟସୋର୍ସିଂ ଓ ଠିକା କର୍ମଚାରୀମାନଙ୍କୁ ଛଟେଇ କରିବା ଅମାନବିକ, ଅନ୍ୟାୟ ଓ ଶ୍ରମିକ ବିରୋଧୀ ପଦକ୍ଷେପ । ଏହା ଦ୍ୱାରା ହଜାର ହଜାର ପରିବାର ଜୀବିକା ସଙ୍କଟରେ ପଡ଼ିବେ । ତେଣୁ ତୁରନ୍ତ ଛଟେଇ ପ୍ରକ୍ରିୟା ବନ୍ଦ କରି ସମସ୍ତ କର୍ମଚାରୀଙ୍କର ଚାକିରି ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରାଯାଇଛି । ବିଧାୟକ ଜୟନାରାୟଣ ମିଶ୍ର ଆନ୍ଦୋଳନ ସ୍ଥଳକୁ ଆସି କର୍ମଚାରୀମାନଙ୍କ ନ୍ୟାୟସଂଗତ ଦାବିକୁ ସମର୍ଥନ ଜଣାଇ ଟିପିଡବ୍ଲୁଓଡିଏଲ୍ ମ୍ୟାନେଜମେଣ୍ଟକୁ ତାଗିଦ କରିଥିଲେ ଯେ, କୌଣସି ଠିକା କର୍ମଚାରୀଙ୍କୁ ଛଟେଇ କରାନଯାଉ । ସେ କର୍ମଚାରୀ ଓ ସଂଗଠନମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ଓ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ୟୁନିୟନମାନଙ୍କୁ ତ୍ରିପାକ୍ଷିକ ଆଲୋଚନା ପାଇଁ ଡାକିବେ ଏବଂ ତୁରନ୍ତ ସମାଧାନର ରାସ୍ତା ବାହାର କରିବେ । ସେ ଆହୁରି କହିଥିଲେ ଯେ, କମ୍ପାନୀ ଆର୍ଥିକ ଭାବେ ସୁଦୃଢ଼ ଥିବା ସତ୍ତ୍ୱେ ଶ୍ରମିକ ଛଟେଇ କରାଯାଉଛି କାହିଁକି ଏବଂ ବଡ଼ ବଡ଼ ଅଧିକାରୀମାନଙ୍କ ଉପରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏପରି ଶ୍ରମିକ ବିରୋଧୀ କାର୍ଯ୍ୟକୁ କେବେ ମଧ୍ୟ ପ୍ରଶ୍ରୟ ଦିଆଯିବ ନାହିଁ । ଆନ୍ଦୋଳନକାରୀମାନେ ସ୍ପଷ୍ଟ କରିଥିଲେ ଯେ, ଯଦି ଟିପିଡବ୍ଲୁଓଡିଏଲ୍ ପରିଚାଳନା କର୍ତ୍ତୃପକ୍ଷ ଓ ସରକାର ଶୀଘ୍ର ସମସ୍ୟାର ସମାଧାନ ନ କରନ୍ତି, ତେବେ ଆଗାମୀ ଦିନରେ ଡିଭିଜନ, ସର୍କଲ, ଓଇଆରସି ଓ ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ । ଏହି ଐତିହାସିକ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବରେ ସଫଳ କରିଥିବା ସମସ୍ତ ଶ୍ରମିକ, କର୍ମଚାରୀ, ଭଲ୍ୟୁଣ୍ଟିଅର, ୟୁନିୟନ କର୍ମକର୍ତ୍ତା ଓ ସହଯୋଗୀମାନଙ୍କୁ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚ ପକ୍ଷରୁ ସଂଗ୍ରାମୀ ଅଭିନନ୍ଦନ ଓ ଧନ୍ୟବାଦ ଜଣାଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଧାରଣ ସମ୍ପାଦକ ଲଳିତ କୁମାର ପଟ୍ଟନାୟକ, ବିଏସ୍କେଇଏମ୍ ଏକତା ମଞ୍ଚର ରାଜ୍ୟ ଆବାହକ ସତ୍ୟବାଦୀ ବାଗ, ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରଣୟ କୁମାର ନାୟକ, ଓଡ଼ିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘର ଉପସଭାପତି ପରମେଶ୍ୱର ବେହେରା, ହୀରା ଜିଟିଡ଼ି କର୍ମଚାରୀ ସଂଘର ସଭାପତି ନିରଞ୍ଜନ ପାଣିଗ୍ରାହୀ, ଓଏସ୍ଇବି ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ସନ୍ତୋଷ ସାହୁ, କଳାହାଣ୍ଡି ବିଦ୍ୟୁତ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣ ମାଝୀ, ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ ମହାସଂଘର ସାଙ୍ଗଠନିକ ସମ୍ପାଦକ ପବିତ୍ର ଖୁଣ୍ଟିଆ, ଏଚ୍ଏମ୍ଏସ୍ର ରାଜ୍ୟ ସଭାପତି ବିଜୟ ମହାନ୍ତି, ଏଆଇଟିୟୁସିର ସମ୍ବଲପୁର ଜିଲ୍ଲା ସମ୍ପାଦକ ନଥୁ ଗୋପାଳ, ସିଟୁର ଜିଲ୍ଲା ସଭାପତି ଗଦାଧର କୁଅଁର ଏବଂ ପଶ୍ଚିମ ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଏକତା ମଞ୍ଚର ବିଶ୍ୱନାଥ ସାହୁ, ପ୍ରତୁଲ ମହାନା, ପ୍ରଦୀପ ଭୋଲ, ରଞ୍ଜିତ ଲେଙ୍କା, ସୁଶୀଲ ଦାସ, ଆତ୍ମୟ ପାଟଯୋଶୀ, ମଣ୍ଟୁ ବେହେରା, ମାନଭଞ୍ଜନ ପୁରୋହିତ, ସୁଶୀଲ ସେଠ, ସୁଧାଂଶୁ ମହାପାତ୍ର, ଜୟଦେବ ମିଞ୍ଜ, ଚୌବର୍ଗ ସାହୁ, ସମ୍ବିତ ପଣ୍ଡା, ଭବାନୀ ସାହୁ ଓ ସତ୍ୟଜିତ ପରିଡ଼ା ପ୍ରମୁଖ ବକ୍ତବ୍ୟ ରଖି କର୍ମଚାରୀ ଛଟେଇକୁ ତୀବ୍ର ବିରୋଧ କରିଥିଲେ ।