
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକର ହରଡଖୋଲ ଅନ୍ତର୍ଗତ ବୈଦ୍ୟନାଥ ତେଲନଦୀ କୂଳରେ ସକାଳେ ଏକ ବଡ଼ କୁମ୍ଭୀର ଦେଖାଯାଇଛି । ସକାଳେ ଲୋକମାନେ ନଦୀକୁ ଗାଧୋଇ ଆସିଥିବା ବେଳେ କୁମ୍ଭୀରକୁ ଦେଖି ଭୟଭୀତ ହୋଇଯାଇଥିଲେ । ପରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ସୋନପୁର ଅଗ୍ନିଶମ ବାହିନୀ ଅଧିକାରୀ ଭବେନ୍ଦ୍ର ଦେ ଙ୍କ ନେତୃତ୍ଵରେ ଅଗ୍ନିଶମ ବିଭାଗ ଟିମ୍ ଓ ସୋନପୁର ଫରେଷ୍ଟର ଭକ୍ତବନ୍ଧୁ ମିଶ୍ର ଓ ବନ ବିଭାଗ ଟିମ୍ ଏବଂ ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜର ରାଜା ପଟ୍ଟନାୟକ ଓ ଟିମ୍ ପହଞ୍ଚି କୁମ୍ଭୀର ଉପରେ କଡ଼ା ନଜର ରଖିଛନ୍ତି । କୁମ୍ଭୀରଟି ଏକ ଘଡିଆଳ ପ୍ରଜାତିର ହୋଇଥିବା ଜଣାପଡିଛି । ଏବଂ ବନବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହା ଲୋକଙ୍କ କୌଣସି କ୍ଷତି କରେ ନାହିଁ କେବଳ ତାର ଖାଦ୍ୟ ହେଉଛି ମାଛ । ଏହା ସାତକୋଶିଆ ଗଣ୍ଡରୁ ମହାନଦୀରେ ଉପରକୁ ତେଲନଦୀରେ ପଳେଇ ଆସିଥିବା ବେଳେ ସମ୍ପୃକ୍ତ ବିଭାଗ ପକ୍ଷରୁ ତାକୁ ପୁଣି ମହାନଦୀ ଦେଇ ସାତକୋଶିଆ ଅଞ୍ଚଳକୁ ପଠାଇ ଦିଆଯିବ ଚେଷ୍ଟା ଜାରି ରହିଛି । ସ୍ଥାନୀୟ ଲୋକଙ୍କ ସୁରକ୍ଷା ଏବଂ କୁମ୍ଭୀରଟିର ଜୀବନକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ସୂଚନା ମିଳିଛି ।