
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟରତ ଭିନ୍ନ ଭିନ୍ନ ବର୍ଗର ଅଧ୍ୟାପକଙ୍କୁ ନେଇ ଗଠିତ ମଞ୍ଚ-ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ ୨୦୨୬-୨୦୨୭ ଶୀର୍ଷକ ଏକ ବୌଦ୍ଧିକ ବିମର୍ଷ ସେକ୍ଟର-୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କ ମାର୍ଗଦର୍ଶନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଓଡ଼ିଶା ବଜେଟ୍କୁ ନେଇ ଅଧ୍ୟାପକଙ୍କୁ ନେଇ ଗଠିତ ମଞ୍ଚ-ମନ୍ଥନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏହା ମାଧ୍ୟମରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବ ବୋଲି କହିଥିଲେ । ଏହା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ଅନ୍ତୋଦୟ ଅର୍ଥାତ୍ ସମାଜର ଶେଷ ଧାଡ଼ିର ଶେଷତମ ବ୍ୟକ୍ତି ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚିବା ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମନ୍ଥନର ସଭାପତି ଶ୍ରୀନାଥ ଜେନାଙ୍କ ସଂଯୋଜନା ଓ ପୌରହିତ୍ୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଉରକେଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା, ନୀଳଶୈଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଗଜେନ୍ଦ୍ର ନାଥ ଦାଶ, ହୃଷିକେଶ ରାୟ କନିଷ୍ଠ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରଜନୀକାନ୍ତ ମିଶ୍ର, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ମାୟାଧର ବାରିକ ପ୍ରମୁଖ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଓଡ଼ିଶା ବଜେଟ୍ର ବିଭିନ୍ନ ଦିଗ ଓ ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ, ଅର୍ଥନୀତି ବୃଦ୍ଧି ପାଇଁ ବଜେଟ ହେଉଛି ଶକ୍ତିଶାଳୀ ଅସ୍ତ୍ର । ଏହା ସହ ମୌଳିକ ସୁବିଧା ଯଥା ଜଳ, ବିଦ୍ୟୁତ, ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତି, ଜଗନ୍ନାଥ ସଂସ୍କୃତିର ବିକାଶ, ଆଦିବାସୀ ସଂସ୍କୃତି, ଜନଜାତିଙ୍କ ମଧ୍ୟରେ ଥିବା ପାରମ୍ପରିକ ଜ୍ଞାନ କୌଶଳର ବିକାଶ, ସମୃଦ୍ଧ କୃଷକ ଯୋଜନା ସହ ପୂର୍ବ ସରକାରଙ୍କ ଅମଳ ଠାରୁ ଚଳିତ ସରକାର ତା’ଠାରୁ ବହୁଗୁଣରେ ଅଧିକ କାର୍ଯ୍ୟକ୍ରମ, ୮୩୫ ସ୍କୁଲ ସ୍ଥାପନ ଓ ଆସନ୍ତା ୨୦୨୯ ମସିହା ସୁଦ୍ଧା ୨୦୦ ସ୍କୁଲ ପ୍ରତିଷ୍ଠା ପାଇଁ ଅର୍ଥ ବ୍ୟବସ୍ଥା, ସମୃଦ୍ଧି ଅଙ୍ଗନବାଡି ଯୋଜନା, ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ, ଅନୁସୂଚିତ ତଥା ଜନଜାତିର ଗ୍ରାଜୁଏସନ ପାସ ପରେ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ପାଇଁ ଯେଉଁ ବଜେଟ ହୋଇଛି ତାହା କିପରି ଲୋକାଭିମୁଖୀ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ବକ୍ତାମାନେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାୟକ ଶ୍ରୀ ତନ୍ତୀ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଅନୁରୋଧ କରିଥିଲେ । ଏହି ଅବସରରେ କିଛି ବୁଦ୍ଧିଜୀବୀ ନଳିନୀକାନ୍ତ ଧର, ଡ଼ଃ ସୁମନ ଦତ୍ତ, ସତ୍ୟନାରାୟଣ ଦାଶ, ଗୋଦାବରୀଶ ଶତପଥୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମନ୍ଥନ ମଞ୍ଚର ସାଧାରଣ ସମ୍ପାଦକ ଡ. ବିଶ୍ୱନାଥ ପରିଜା ଏବଂ ଅନ୍ୟ କର୍ମକର୍ତ୍ତାଙ୍କ ସମେତ ରାଉରକେଲା ମହାବିଦ୍ୟାଳୟର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଛାତ୍ରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକଙ୍କ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ ।