pakka

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ୭ ଜଣ ଅନାଥ ଶିଶୁ

bbehera

ନବରଙ୍ଗପୁର : ଅଜଣା ରୋଗରେ ସ୍ୱାମୀଙ୍କ ମୃତ୍ୟୁର ସପ୍ତାହେ ନ ପୂରୁଣୁ ତାଙ୍କ ଶୋକରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ । ନିମିଷକ ମଧ୍ୟରେ ଉଜୁଡିଗଲା ସୁନାର ସଂସାର । ଅନାଥ ହୋଇଗଲେ ସାତ ଭାଇ ଭଉଣୀ । ଶୈଶବ ଅବସ୍ଥାରୁ ପିତାମାତାଙ୍କୁ ହରାଇ ଏହି ସାତ ଭାଇଭଉଣୀ ଗ୍ରାମବାସୀଙ୍କ ଆଶ୍ରୟରେ ରହିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପରଚିପାରା ଧଡ୍ରାପାରା ଗ୍ରାମରେ ଘଟିଥିବା ଜଣା ପଡିଛି ।

ସୂଚନା ଅନୁସାରେ ଧଡ୍ରାପାରା ଗ୍ରାମର ମଙ୍ଗଳୁରାମ ଗଣ୍ଡ ଗତ ୧୫ଦିନ ପୂର୍ବେ ଏକ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ମୃତ୍ୟୁ ସପ୍ତାହେ ନପୂରୁଣୁ ସ୍ୱାମୀଙ୍କ ଶୋକରେ ସ୍ତ୍ରୀ ପୁନେଇବାଇ ଗଣ୍ଡଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଅନ୍ୟପକ୍ଷରେ ପିତାମାତାଙ୍କ ମୃତ୍ୟୁ ପରେ ଅନାଥ ହୋଇଯାଇଛନ୍ତି ୭ ଭାଇଭଉଣୀ । ସେମାନେ ହେଲେ ଝିଅ ମାଳତୀ ଗଣ୍ଡ, ରାଜ ବାଇ ଗଣ୍ଡ, ରାଜୁଲା ଗଣ୍ଡ, ବିନା ଗଣ୍ଡ ଏବଂ ପୁଅ ରାଜୁ ଗଣ୍ଡ । ପିତାମାତାଙ୍କୁ ହରାଇ ଏବେ ଏହି ୭ ଭାଇଭଉଣୀ ବେସାହାରା ହୋଇ ପଡିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ଘୁରି ବୁଲୁଥିଲା । ଏହି ସମସ୍ୟାକୁ ଦେଖି କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ନବରଙ୍ଗପୁର ଜିଲ୍ଲାପାଳ, ନବରଙ୍ଗପୁର ଡିସିପିଓ, ମନ୍ତ୍ରୀ ଟୁକୁନି ସାହୁ, ପଞ୍ଚାୟତୀରାଜ ବିଭାଗ, ରାଇଘର ବିଡ଼ିଓଙ୍କୁ ଅବଗତ କରାଇ ସେମାନଂକୁ ଶୀଘ୍ର ଥଇଥାନ କରିବାକୁ ନିବେଦନ କରିଥିଲେ । ନବରଙ୍ଗପୁର ଡିସିପିଓଙ୍କ ନିର୍ଦ୍ଦେଶରେ ସମସ୍ତ ଶିଶୁଙ୍କୁ ସିଡବ୍ଲୁସିରେ ଉପସ୍ଥିତ କରି ଥଇଥାନ କରିବାକୁ ପ୍ରତିଶୃତି ଦେଇଥିଲେ । ୭ଜଣ ଶିଶୁଙ୍କ ମଧ୍ୟରୁ ଦୁଇଜଣ ଝିଅ ମାଳତୀ ଓ ରୋଜୁଲାକୁ ମାସିକ ୨ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରିଥିବା ବେଳେ ଅନ୍ୟ ଦୁଇଜଣ ଶିଶୁଙ୍କୁ ସରକାରଙ୍କ କୌଣସି ଏକ ହଷ୍ଟେଲରେ ରଖି ପଢ଼ିବାର ବ୍ୟବସ୍ଥା କରାଯିବ, ସେହିପରି ବଡ ଝିଅ ମାଳତୀଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ସାମିଲ କରି ମାସିକ ଭତ୍ତା ଦେବାର ବ୍ୟବସ୍ଥା କରାଯାଇଛି । ବାକି ଦୁଇଜଣ ଛୁଆକୁ ତାଙ୍କର କାକା ଦେଖାଶୁଣା କରିବେ । ସେମାନଙ୍କ ରହିବା ପାଇଁ ଗୋଟିଏ ଘର ମଧ୍ୟ ଦିଆଯାଇଛି । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିଡ଼ିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସମସ୍ତ ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିଛନ୍ତି ବୋଲି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ଏହି କୋମଲମତି ଶିଶୁମାନଙ୍କୁ ସହଯୋଗର ହାତ ବଢ଼େଇ ଥିବାରୁ ବୁଦ୍ଧିଜୀବୀ ମହଲରେ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଢେର ସାରା ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

1 × three =