pakka

ଅନନ୍ତ ଯାତ୍ରାରେ ସ୍ୱାମୀ ସ୍ମରଣାନନ୍ଦ

bbehera
  • ନରେନ୍ଦ୍ର ମୋଦୀ

ଲୋକସଭା ନିର୍ବାଚନ ମହାପର୍ବର ବ୍ୟସ୍ତତା ମଧ୍ୟରେ ଏମିତି ଏକ ଖବର ଆସିଥିଲା, ଯାହା ମନକୁ କିଛି ମୁହୂର୍ତ୍ତ ପାଇଁ ବିବ୍ରତ କରି ଦେଇଥିଲା । ଭାରତର ଆଧ୍ୟାତ୍ମିକ ଚେତନାର ସର୍ବୋଚ୍ଚ ବ୍ୟକ୍ତିତ୍ୱ ଶ୍ରୀମତ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜ ସମାଧିସ୍ଥ ହେବା ଏକ ବ୍ୟକ୍ତିଗତ କ୍ଷତି । କିଛି ବର୍ଷ ପୂର୍ବେ ସ୍ୱାମୀ ଆତ୍ମସ୍ଥାନନ୍ଦଜୀଙ୍କ ମହାପ୍ରୟାଣ ଏବଂ ବର୍ତ୍ତମାନ ସ୍ୱାମୀ ସ୍ମରଣାନନ୍ଦଙ୍କ ଅନନ୍ତ ଯାତ୍ରାରେ ବିଦାୟ ଅନେକ ଲୋକଙ୍କୁ ଦୁଃଖିତ କରିଛି । ରାମକୃଷ୍ଣ ମଠ ଓ ମିଶନର ଲକ୍ଷ ଲକ୍ଷ ଭକ୍ତ, ସାଧୁ ଓ ଅନୁଗାମୀଙ୍କ ପରି ମୁଁ ମଧ୍ୟ ବହୁତ ଦୁଃଖୀ । ଚଳିତ ମାସ ପ୍ରାରମ୍ଭରେ ପଶ୍ଚିମବଙ୍ଗ ଗସ୍ତ ସମୟରେ ମୁଁ ସ୍ୱାମୀ ସ୍ମରଣାନନ୍ଦଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ଡାକ୍ତରଖାନା ଯାଇଥିଲି । ସ୍ୱାମୀ ଆତ୍ମସ୍ଥାନନ୍ଦଜୀଙ୍କ ଭଳି ସ୍ୱାମୀ ସ୍ମରଣାନନ୍ଦଜୀ ମଧ୍ୟ ଆଚାର୍ଯ୍ୟ ରାମକୃଷ୍ଣ ପରମହଂସ, ମାତା ଶାରଦା ଓ ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରାକୁ ବିଶ୍ୱରେ ପ୍ରସାର ପାଇଁ ସଂପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ଏହି ଲେଖା ଲେଖିବା ସମୟରେ ତାଙ୍କ ସହ ମୋର ସାକ୍ଷାତ, ତାଙ୍କ ସହ ମୋର କଥାବାର୍ତ୍ତା, ସେହି ସ୍ମୃତି ମୋ ମନରେ ଜୀବନ୍ତ ହୋଇଯାଉଛି । ଜାନୁଆରୀ ୨୦୨୦ରେ ବେଲୁର ମଠରେ ରହିବା ସମୟରେ ମୁଁ ସ୍ୱାମୀ ବିବେକାନନ୍ଦଙ୍କ କୋଠରୀରେ ବସି ଧ୍ୟାନ କରିଥିଲି । ସେହି ଗସ୍ତ ସମୟରେ ମୁଁ ସ୍ୱାମୀ ସ୍ମରଣାନନ୍ଦଜୀଙ୍କ ସହ ସ୍ୱାମୀ ଆତ୍ମସ୍ଥାନନ୍ଦଜୀଙ୍କ ବିଷୟରେ ଦୀର୍ଘ ସମୟ ଧରି କଥା ହୋଇଥିଲି । ଆପଣ ଜାଣନ୍ତି ରାମକୃଷ୍ଣ ମିଶନ ଏବଂ ବେଲୁର ମଠ ସହିତ ମୋର କେତେ ଆତ୍ମୀୟ ସମ୍ପର୍କ ରହିଛି । ଜଣେ ଆଧ୍ୟାତ୍ମିକ ସାଧକ ଭାବରେ ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ମୁଁ ବିଭିନ୍ନ ସାଧୁ ଓ ମହାତ୍ମାଙ୍କୁ ଭେଟିଛି, ଅନେକ ସ୍ଥାନରେ ରହିଛି । ରାମକୃଷ୍ଣ ମଠରେ ମଧ୍ୟ ଆଧ୍ୟାତ୍ମିକତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସନ୍ଥମାନଙ୍କ ସହିତ ମୋର ପରିଚୟ ହୋଇଥିଲା, ସେମାନଙ୍କ ମଧ୍ୟରେ ସ୍ୱାମୀ ଆତ୍ମାସ୍ଥାନନ୍ଦଜୀ ଏବଂ ସ୍ୱାମୀ ସ୍ମରଣାନନ୍ଦଜୀଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ପବିତ୍ର ଚିନ୍ତାଧାରା ଓ ଜ୍ଞାନ ମୋ ମନକୁ ନିରନ୍ତର ସନ୍ତୋଷ ଦେଇଥିଲା । ଏମାନଙ୍କ ଭଳି ସନ୍ଥମାନେ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ମୋତେ ଜନସେବା ହିଁ ଭଗବାନଙ୍କ ସେବା ବୋଲି ଶିଖାଇଥିଲେ । ସ୍ୱାମୀ ଆତ୍ମସ୍ଥାନନ୍ଦଜୀ ଏବଂ ସ୍ୱାମୀ ସ୍ମରଣାନନ୍ଦଜୀଙ୍କ ଜୀବନ ରାମକୃଷ୍ଣ ମିଶନର ‘ଆତ୍ମନୋ ମୋକ୍ଷାର୍ଥ ଜଗଦ୍ଦିତାୟ ଚ’ ର ଏକ ଅତୁଳନୀୟ ଉଦାହରଣ । ଶିକ୍ଷାର ପ୍ରଚାର ପ୍ରସାର ଏବଂ ଗ୍ରାମୀଣ ବିକାଶ ପାଇଁ ରାମକୃଷ୍ଣ ମିଶନ ଦ୍ୱାରା କରାଯାଉଥିବା କାର୍ଯ୍ୟ ଆମ ସମସ୍ତଙ୍କୁ ପ୍ରେରଣା ଦେଇଥାଏ । ରାମକୃଷ୍ଣ ମିଶନ ଭାରତର ଆଧ୍ୟାତ୍ମିକ ଚେତନା, ଶିକ୍ଷାଗତ ସଶକ୍ତୀକରଣ ଏବଂ ମାନବସେବା ଦିଗରେ କାର୍ଯ୍ୟ କରୁଛି । ୧୯୭୮ ମସିହାରେ ପଶ୍ଚିମବଙ୍ଗରେ ବନ୍ୟା ଆସିବା ପରେ ରାମକୃଷ୍ଣ ମିଶନ ନିଜର ନିଃସ୍ୱାର୍ଥପର ସେବା ଦ୍ୱାରା ସମସ୍ତଙ୍କ ହୃଦୟ ଜିତି ନେଇଥିଲା । ମୋର ମନେ ଅଛି, ୨୦୦୧ରେ କଚ୍ଛ ଭୂମିକମ୍ପ ସମୟରେ ସ୍ୱାମୀ ଆତ୍ମସ୍ଥାନନ୍ଦ ପ୍ରଥମ ବ୍ୟକ୍ତି ଥିଲେ ଯିଏ ମୋତେ ଫୋନ୍ କରି କହିଥିଲେ ଯେ ରାମକୃଷ୍ଣ ମିଶନ ବିପର୍ଯ୍ୟୟ ପରିଚାଳନା ପାଇଁ ସମସ୍ତ ସମ୍ଭବ ଉପାୟରେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛି । ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୂମିକମ୍ପର ସେହି ସଙ୍କଟ ସମୟରେ ରାମକୃଷ୍ଣ ମିଶନ ଲୋକଙ୍କୁ ବହୁତ ସାହାଯ୍ୟ କରିଥିଲା । ବର୍ଷ ବର୍ଷ ଧରି ସ୍ୱାମୀ ଆତ୍ମସ୍ଥାନନ୍ଦଜୀ ଏବଂ ସ୍ୱାମୀ ସ୍ମରଣାନନ୍ଦଜୀ ବିଭିନ୍ନ ପଦବୀରେ ରହି ସାମାଜିକ ସଶକ୍ତୀକରଣ ଉପରେ ବହୁତ ଗୁରୁତ୍ୱ ଦେଇଥିଲେ । ଯେଉଁମାନେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଜୀବନକୁ ଜାଣନ୍ତି ସେମାନେ ନିଶ୍ଚୟ ମନେ ରଖିବେ ଯେ ଆପଣଙ୍କ ପରି ଜଣେ ସନ୍ଥ ଆଧୁନିକ ଶିକ୍ଷା, ଦକ୍ଷତା ଏବଂ ମହିଳା ସଶକ୍ତୀକରଣ ଦିଗରେ କେତେ ଗମ୍ଭୀର ଥିଲେ । ସ୍ୱାମୀ ଆତ୍ମାସ୍ଥାନନ୍ଦଜୀଙ୍କ ବିଶାଳ ବ୍ୟକ୍ତିତ୍ୱର ସ୍ୱତନ୍ତ୍ରତା ଯାହା ମୋତେ ସବୁଠାରୁ ଅଧିକ ପ୍ରଭାବିତ କରିଥିଲା ତାହା ଥିଲା ପ୍ରତ୍ୟେକ ସଂସ୍କୃତି, ପ୍ରତ୍ୟେକ ପରମ୍ପରା ପ୍ରତି ତାଙ୍କର ସମ୍ମାନ ଏବଂ ଭଲପାଇବା । ଏହାର କାରଣ ହେଲା ସେ ବିଭିନ୍ନ ସ୍ଥାନରେ ଦୀର୍ଘ ସମୟ ବିତାଇଥିଲେ ଏବଂ ସେ ନିରନ୍ତର ଭ୍ରମଣ କରୁଥିଲେ । ଗୁଜରାଟରେ ରହୁଥିବା ବେଳେ ସେ ଗୁଜରାଟୀ ଭାଷା ଶିଖିଥିଲେ । ଏପରିକି ମୋ ସହିତ ମଧ୍ୟ ସେ ଗୁଜୁରାଟୀ ଭାଷାରେ କଥା ହେଉଥିଲେ । ମୋତେ ତାଙ୍କ ଗୁଜୁରାଟୀ ମଧ୍ୟ ଭଲ ଲାଗିଥିଲା । ଭାରତର ବିକାଶ ଯାତ୍ରାର ଅନେକ କ୍ଷେତ୍ରରେ ସ୍ୱାମୀ ଆତ୍ମାସ୍ଥାନନ୍ଦଜୀ, ସ୍ୱାମୀ ସ୍ମରଣାନନ୍ଦଜୀଙ୍କ ଭଳି ଅନେକ ସନ୍ଥଙ୍କ ଆଶୀର୍ବାଦ ଆମ ମାତୃଭୂମିକୁ ମିଳିଛି, ଯେଉଁମାନେ ଆମକୁ ସାମାଜିକ ପରିବର୍ତ୍ତନର ଏକ ନୂତନ ଚେତନା ଦେଇଛନ୍ତି । ଏହି ସାଧୁମାନେ ଆମକୁ ସମାଜ କଲ୍ୟାଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଛନ୍ତି । ଏହି ନୀତିଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ଚିରନ୍ତନ ଏବଂ ଆଗାମୀ ଦିନରେ ଏହି ଧାରଣା ବିକଶିତ ଭାରତ ଏବଂ ଅମୃତ କାଳର ସଙ୍କଳ୍ପ ଶକ୍ତିରେ ପରିଣତ ହେବ । ମୁଁ ପୁଣି ଥରେ ସମଗ୍ର ଦେଶ ତରଫରୁ ଏଭଳି ସାଧୁ ଆତ୍ମାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ମୋର ବିଶ୍ୱାସ ଯେ ରାମକୃଷ୍ଣ ମିଶନ ସହ ଜଡିତ ସମସ୍ତେ ତାଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗକୁ ଆହୁରି ପ୍ରଶସ୍ତ କରିବେ ।
ଓମ୍ ଶାନ୍ତି ।

  • ଲେଖକ ଭାରତର ପ୍ରଧାନମନ୍ତ୍ରୀ
Leave A Reply

Your email address will not be published.

twenty + 2 =