ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଘଟଣା : ବାପା ସହ ଦିବ୍ୟାଙ୍ଗ ଝିଅର ତହସିଲ ଅଫିସ ସାମ୍ନାରେ ଆମରଣ ଅନଶନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ତହସିଲ ଅଫିସ ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ଆଜି ଦିନ ୫ ଦିନରେ ପହଂଚିଛି । ୫ ଦିନ ବିତିଥିଲେ ମଧ୍ୟ ମୋତେ ନ୍ୟାୟ ମିଳିନି ବୋଲି ଦିବ୍ୟାଙ୍ଗ ରୂପାଲି କୌର ଅଭିଯୋଗ କରିଛନ୍ତି । ଏପରିକି ଦୀର୍ଘ ଦିନ ହେଲା ବାପା ସୁରଜିତ ସିଂ ମାଖିଜା ଜବର ଦଖଲ କରି ସରକାରୀ ରାଜସ୍ୱ ପଇଠ କରି ଆସୁଥିଲେ ଏବଂ ଏହି ଜମି ଉପରେ ହାଇକୋର୍ଟରେ ମାମଲା ଚାଲିଥିଲା । ତାର କୌଣସି ଫଇସଲା ନ ହୋଇ ପଡି ରହିଛି । ହେଲେ ଆମ୍ଭଙ୍କୁ କୌଣସି ସୂଚନା ନ ଦେଇ ତରବରିଆ ଭାବେ ଭାଂଗି ଦିଆଯାଇଛି, ଯଦ୍ୱାରା ଦିବ୍ୟାଙ୍ଗ ରୁପାଲି ରୋଜଗାର ଶୂନ୍ୟ ହୋଇଥିବା କହିଛନ୍ତି ।
ପ୍ରକାଶ ଥାଉକି ଝାଙ୍କରପଡା ପି.ଏଚ.ଡି.ଗ୍ରାମୀଣ ଅଫିସ ସମ୍ମୁଖରେ ଥିବା ସରକାରୀ ଜମିରେ ସୁରଜିତ ସିଂ ମାଖିଜା ୬ଟି ଦୋକାନ ଗୃହ ନିର୍ମାଣ କରି ଭଡା ସୂତ୍ରେ ଲଗାଇଥିଲେ । ଏହି ବେଦଖଲ ସରକାରୀ ଜମିରେ ଥିବା ୬ଟି ଦୋକାନ ଗୃହକୁ ଗତ ଅଗଷ୍ଟ ୧୪ ତାରୀଖ ଦିନ ଟିଟିଲାଗଡ ଉପଜିଲ୍ଲାପାଳ ତଥା କଂଟାବାଂଜି ଏନ.ଏ.ସି. ପ୍ରଶାସକ ସୋମେଶ ଉପାଧ୍ୟାୟ, ତହସିଲଦାର କଂଟାବାଂଜି ଅଶୋକ ମାଝି, ଏନ.ଏ.ସି. ନିର୍ବାହୀ ଅଧିକାରୀ ବିଷ୍ଣୁପ୍ରିୟା ମିଶ୍ର, କଂଟାବାଂଜି ପୋଲିସ ଉପଖଣ୍ଡ ଅଧିକାରୀ ସରୋଜ କୁମାର ମହାପାତ୍ର, ଥାନା ଆଇ.ଆଇ.ସି. ସତ୍ୟଜିତ କାଣ୍ଡେଲକର ସହ ଏକ ପ୍ଲାଟୁନ ଫୋର୍ସର ଉପସ୍ଥିତିରେ ଝାଙ୍କରପଡା ନିକଟସ୍ଥ ପି.ଡବ୍ଲୁ.ଡି.ରାସ୍ତା ସ୍ଥିତ ସରକାରୀ ଜମିକୁ ଉଛେଦ କରିବା ସହିତ ନିର୍ମିତ ୬ଟି ବ୍ୟବସାୟୀକ ଷ୍ଟଲକୁ ଊଛେଦ କରିଥିଲେ । ଜବର ଦଖଲ କରିଥିବା ସୁରଜିତ ସିଂ ମାଖିଜା ଉକ୍ତ ସରକାରୀ ଜମିରେ ୬ଟି ଷ୍ଟଲ ନିର୍ମାଣ କରିଥିବାରୁ ପ୍ରଶାସନିକ ସ୍ତରରେ ଦୀର୍ଘ ଦିନରୁ ଅଦାଲତରେ ମାମଲା ଚାଲିଥିଲା ଏବଂ ଉକ୍ତ ମାମଲାରେ ଜବରଦଖଲକାରୀ ଉଚିତ କାଗଜାଦ ଦେଖାଇ ନ ପାରିବାରୁ ଉଛେଦ ହୋଇଥିବା ପ୍ରଶାସନ ଦର୍ଶାଇଥିଲା । ଏହି ଊଛେଦକୁ ଜବରଦଖଲକାରୀ ସୁରଜିତ ସିଂ ମାଖିଜା ଓ ତାଙ୍କ ଝିଅ ଦିବ୍ୟାଙ୍ଗ ରୂପାଲି କୌର ଅନୈତିକ ଦର୍ଶାଇ ମଂଗଲବାର ଦିନଠାରୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟରେ ଆମରଣ ଅନଶନରେ ବସିଥିଲେ, ଯାହା ଆଜି ୫ ଦିନରେ ପହଂଚିଛି । ପାଂଚ ଦିନ ଧରି ତହସିଲ ଅଫିସରେ ବାପା ଓ ଝିଅ ଅନଶନରେ ବସିବା ମଧ୍ୟରେ କୌଣସି ପ୍ରଶାସନିକ ନ୍ୟାୟ ନ ମିଳିବାରୁ ଆସନ୍ତା ଦିନରେ ଜିଲ୍ଲାପାଳ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବା ପାଇଁ ବାଧ୍ୟ ହେବୁ ବୋଲି ଗଣମାଧ୍ୟମକୁ ସେମାନେ କହିଛନ୍ତି । ତହସିଲ ଅଫିସ ସମ୍ମୁଖରେ ୫ ଦିନ ଧରି ବସିଥିବା ଅନଶନ ଉପରେ ତହସିଲଦାର କଂଟାବାଂଜି ଅଶୋକ କୁମାର ମାଝି କହନ୍ତି ଉଚ୍ଚ କତୃପକ୍ଷଙ୍କୁ ଆନ୍ଦୋଳନ ବସିବା ଦିନଠାରୁ ସୂଚନା ଦିଆଯାଇଛି । ଶାନ୍ତି ଶୃଙ୍ଖଳାର ସହ ଅନଶନରେ ବସିଥିବାରୁ ଏଥିପ୍ରତି ପ୍ରଶାସନ ତରଫରୁ କୌଣସି ହସ୍ତକ୍ଷେପ ଗ୍ରହଣ କରାଯାଇ ନାହିଁ ବୋଲି କହିଛନ୍ତି ।

Leave A Reply

Your email address will not be published.