
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ତୀର୍ଥଯାତ୍ରୀମାନେ ସମ୍ବଲପୁର ଅଭିମୁଖେ ଯାତ୍ରା କରିଛନ୍ତି । ସମ୍ୱଲପୁରରୁ ଆସନ୍ତାକାଲି ଏକ ସ୍ୱତନ୍ତ୍ର ଟ୍ରେନ ମାଧ୍ୟମରେ ହରିଦ୍ୱାର ଏବଂ ଋଷିକେଶକୁ ଯାତ୍ରା କରିବେ । ଏହି ଅବସରରେ ଆଜି ସ୍ଥାନୀୟ ବିକାଶ ଭବନ ପରିସରରେ ବିଭିନ୍ନ ବ୍ଲକରୁ ଆସିଥିବା ତୀର୍ଥଯାତ୍ରୀ ମାନଙ୍କର ବସକୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ସନ୍ତୋଷ ଅମାତ୍, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଜନଜାତି ପରାମର୍ଶଦାତା କମିଟିର ସଦସ୍ୟ ଶ୍ରୀମତୀ କୁସୁମ ଟେଟେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁରଞ୍ଜନ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହରେକୃଷ୍ଣ ସାହୁ ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ତୀର୍ଥଯାତ୍ରାରେ ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ ୧୮୦ ଜଣ ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ତୀର୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରକାଶ ଥାଉ କି ଏହି ତୀର୍ଥଯାତ୍ରାରେ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନର ୭ ଗୋଟି ଜିଲ୍ଲାର ତୀର୍ଥଯାତ୍ରୀ ସାମିଲ ହୋଇଛନ୍ତି । ଆସନ୍ତାକାଲି ଯାତ୍ରା ଆରମ୍ଭ କରି ଚଳିତ ନଭେମ୍ବର ୦୨ ତାରିଖ ତୀର୍ଥଯାତ୍ରୀ ମାନଙ୍କ ଫେରିବାର କାର୍ଯ୍ୟକ୍ରମ ରହିଛି ।