jayashree

ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ

  • ମୋବାଇଲ, ବାଇକ୍ ଓ ଟଙ୍କା ଲୁଟ୍ ମାମଲାରେ ୬ ଜଣ ଧରାପଡ଼ିଲେ, ଅଭିଯୋଗକାରୀ ନିଜେ ଅଭିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଲୁଟ୍ ଘଟଣାକୁ ନେଇ ଚିନ୍ତାରେ ଥିବା ସାଧାରଣ ଲୋକଙ୍କୁ ମିଳିଛି ଆଶ୍ୱସ୍ତି । ଭିନ୍ନ ଭିନ୍ନ ସ୍ଥାନରେ ମୋବାଇଲ, ବାଇକ୍ ଓ ଟଙ୍କା ଲୁଟ୍ ଘଟଣାର ତଦନ୍ତ କରି ପର୍ଦ୍ଦାଫାଶ କରିଛି ସଦର ଥାନା ପୋଲିସ । ଏହି ଘଟଣାରେ ମୋଟ ୬ ଜଣଙ୍କୁ ଧରିଛି ପୋଲିସ । ତେବେ ଚନ୍ଦନଭାଟି ବାଇକ୍ ଲୁଟ୍ ଘଟଣାରେ ଅଭିଯୋଗକାରୀ ନିଜେ ଅଭିଯୁକ୍ତ ସାଜିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ସଦର ଥାନା ଅନ୍ତର୍ଗତ ପଥରଚେପା, ଚନ୍ଦନଭାଟି ଓ ଖୁଜେନପାଲି ଅଞ୍ଚଳରେ ଲୁଟ୍ ଘଟଣା ଘଟିଥିଲା । କେଉଁଠି ଲୁଟେରାମାନେ ମୋବାଇଲ ଫୋନ୍ ଲୁଟି ନେଇଥିବା ବେଳେ ଆଉ କେଉଁଠି ବାଇକ୍ ଓ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ପରେ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସର ତଦନ୍ତରେ ଚନ୍ଦନଭାଟି ବାଇକ୍ ଲୁଟ୍ ଘଟଣାରେ ଅଭିଯୋଗକାରୀ ହିଁ ଅଭିଯୁକ୍ତ ଥିବା ଜଣାପଡ଼ିଥିଲା । ଅନ୍ୟପଟେ ପଥରଚେପା ଓ ଖୁଜେନପାଲି ଲୁଟ୍ ଘଟଣାରେ ଦୁଇଜଣ ନାବାଳକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ଏହି ମାମଲାରେ ମାଲଗୋଦାମ ପଡ଼ାର ଅମିତ କୁମ୍ଭାର ଓରଫ ହଲୁ, ଶଙ୍କର ବାଗ ଏବଂ ନିଖିଲ ନଗରର ଅମିର ଓରଫ ଅମିତ ବୁଡ଼େକଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ସଦର ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ସଦର ଏସ୍‌ଡିପିଓ ସରୋଜ କୁମାର ଉପାଧ୍ୟାୟ ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.