
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜଗଦଲପୁର ଥାନା ବୁକୁରାମୁଣ୍ଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଦାଦନ ଶ୍ରମିକ ଭାବେ ତାମିଲନାଡୁରେ କାମ କରୁଥିବା ଗ୍ରାମର ୨୦ ବର୍ଷୀୟ ଯୁବକ ସିଦ୍ଧାନ୍ତ ଲୁହାରଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ଏବେ ଅସହାୟ ହୋଇପଡ଼ିଛି । ସୂଚନା ଅନୁଯାୟୀ, ବୁକୁରାମୁଣ୍ଡା ଗ୍ରାମର ସ୍ୱର୍ଗତ ଯହିତ ଲୁହାରଙ୍କ ଏକମାତ୍ର ପୁଅ ସିଦ୍ଧାନ୍ତ ନିଜ ପତ୍ନୀ ଅଞ୍ଜଳି ବଞ୍ଜାରେଙ୍କ ସହ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ଏକ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ୨୨ ତାରିଖ ରାତିରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା । ଏହାପରେ ସେ ଜଣେ ସହଯୋଗୀଙ୍କ ସହ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଇଥିଲେ । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପତ୍ନୀ ଅଞ୍ଜଳି ଜଣେ ସହଯୋଗୀଙ୍କ ସହ ନିକଟସ୍ଥ ଥାନାରେ ଏତଲା ଦେଇଥିଲେ । ପୁଲିସ ଏତଲା ଗ୍ରହଣ କରି ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇଥିଲା । ବ୍ୟବଚ୍ଛେଦ ପରେ କମ୍ପାନୀ ମାଲିକଙ୍କ ସହଯୋଗରେ ବିମାନ ଯୋଗେ ମୃତଦେହକୁ ଭୁବନେଶ୍ୱର ପଠାଯାଇଥିଲା । ସେଠାରୁ ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ବୁକୁରାମୁଣ୍ଡା ଗ୍ରାମକୁ ଅଣାଯାଇଥିଲା । ପରେ ବନ୍ଧୁବାନ୍ଧବ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ସିଦ୍ଧାନ୍ତଙ୍କ ମୃତ୍ୟୁରେ ସମଗ୍ର ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଏକ ଗରିବ ଓ ଅସହାୟ ପରିବାରର ଏକମାତ୍ର ରୋଜଗାରିଆ ପୁଅଙ୍କୁ ହରାଇ ତାଙ୍କ ମାଆ ଏବେ ବେସାହାରା ହୋଇପଡ଼ିଛନ୍ତି । ଅନ୍ୟପକ୍ଷରେ ସ୍ୱାମୀଙ୍କୁ ହରାଇ ପତ୍ନୀ ଅଞ୍ଜଳି ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଶାଶୁ ଓ ବୋହୂ ଉଭୟେ ଏବେ ଅସହାୟ ଅବସ୍ଥାରେ ଜୀବନ ଯାପନ କରିବା ନେଇ ଚିନ୍ତାରେ ରହିଛନ୍ତି । ଏଭଳି ଦୁଃଖଦ ପରିସ୍ଥିତିରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ମୃତକଙ୍କ ପରିବାରକୁ ଉପଯୁକ୍ତ ସରକାରୀ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।